ମାହାଙ୍ଗାରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ: ସୁମନ୍ତ ଘଡେଇଙ୍କ ନେତୃତ୍ୱରେ ଜୋରଦାର କାର୍ଯ୍ୟକ୍ରମ

ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ‘ଭାରତୀୟ ଜନତା ପାର୍ଟି’ (BJP) ଆଜି ତାହାର ୪୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଜନ୍ମ ନେଇଥିବା ଏହି ଦଳର ଗୌରବମୟ ଯାତ୍ରାକୁ ମନେ ପକାଇ ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନିଶ୍ଚିନ୍ତକୋଇଲି ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ମାହାଙ୍ଗାର ଟାଣୁଆ ନେତା ସୁମନ୍ତ ଘଡେଇଙ୍କ ନେତୃତ୍ୱରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ସମୟରେ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ଦଳର ବିଚାରଧାରାକୁ ଆଗକୁ ନେବା ପାଇଁ ଶପଥ ନେଇଥିଲେ। କେବଳ ଉତ୍ସବ ମଧ୍ୟରେ ସୀମିତ ନରହି, ଦଳ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ପ୍ରଦର୍ଶନ କରାଯାଇଥିଲା।

ଶ୍ରୀ ଘଡେଇ ଓ ତାଙ୍କ ସମର୍ଥକମାନେ ସ୍ଥାନୀୟ ଶଙ୍କର୍ଷଣ ମନ୍ଦିର ପରିସରରେ ଏକ ସ୍ୱଚ୍ଛତା ଅଭିଯାନ ଚଳାଇ ମନ୍ଦିର ପ୍ରାଙ୍ଗଣ ସଫା କରିଥିଲେ। ଏହି ଅବସରରେ ଶ୍ରୀ ଘଡେଇ କର୍ମୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆଗାମୀ ଦିନରେ ମାହାଙ୍ଗାରେ ବିଜେପିର ସ୍ଥିତିକୁ ଆହୁରି ସୁଦୃଢ଼ କରାଯିବ। ଦଳୀୟ ରଣନୀତିକୁ ଅଧିକ କ୍ରିୟାଶୀଳ କରିବା ସହ ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ।

‘ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ମନ୍ତ୍ରକୁ ପାଥେୟ କରି ଦେଶ ତଥା ମାହାଙ୍ଗା ଅଞ୍ଚଳର ସମୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ଦଳୀୟ କର୍ମକର୍ତ୍ତାମାନେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି।