ଅପେକ୍ଷାର ହେଲା ଅନ୍ତ । ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । ରାଜ୍ୟର ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ନିର୍ଣ୍ଣୟ କରୁଥିବା ଏହି ରେଜଲ୍ଟକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଉତ୍କଣ୍ଠାର ଆଜି ଶେଷ ହୋଇଛି । ସନ୍ଧ୍ୟା ୬ଟାରୁ ବୋର୍ଡର ଅଧିକୃତ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ଅନ୍ଲାଇନ୍, SMS ଓ ବିଭିନ୍ନ ଡିଜିଟାଲ୍ ମାଧ୍ୟମରେ ନିଜର ଫଳାଫଳ ଯାଞ୍ଚ କରିପାରିବେ ।

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ରାଜ୍ୟର ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା । ପରୀକ୍ଷାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ବୋର୍ଡ ପକ୍ଷରୁ କଡା ସୁରକ୍ଷା ଓ ସ୍ୱଚ୍ଛତା ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା ପରେ ଉତ୍ତରଖାତା ମୂଲ୍ୟାଙ୍କନ କାମ ୫୧ଟି କେନ୍ଦ୍ରରେ ହୋଇଥିଲା । ପ୍ରାୟ ୧୫ହଜାର ଶିକ୍ଷକ ଏହି ମୂଲ୍ୟାଙ୍କନ ପ୍ରକ୍ରିୟାରେ ସାମିଲ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିଥିଲେ । ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି । ଅନେକ ଛାତ୍ରଛାତ୍ରୀ ଉତ୍କୃଷ୍ଟ ଫଳାଫଳ ପାଇଁ ଉତ୍ସାହିତ ହୋଇଥିବାବେଳେ କିଛି ଜଣ ଭବିଷ୍ୟତ୍ ପାଇଁ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରିବାରେ ବ୍ୟସ୍ତ ଅଛନ୍ତି । ରେଜଲ୍ଟ ପ୍ରକାଶ ପାଇବା ସହ ବିଭିନ୍ନ ସାଇବର କଫେ ଓ ଅନଲାଇନ୍ ସେଣ୍ଟରଗୁଡିକରେ ଛାତ୍ରଛାତ୍ରୀଙ୍କ ଭିଡ଼ ମଧ୍ୟ ଦେଖାଯାଇଛି ।
ପରୀକ୍ଷାର୍ଥୀମାନେ https://www.bseodisha.ac.in ଓ https://www.bseodisha.nic.in ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ । ଏହାସହ SMS ସୁବିଧା ମଧ୍ୟ ବୋର୍ଡ ପକ୍ଷରୁ ଉପଲବ୍ଧ କରାଯାଇଛି । ମୋବାଇଲରେ “OR10 Roll Number” ଟାଇପ୍ କରି ୫୬୭୬୭୫୦କୁ ପଠାଇଲେ ମଧ୍ୟ ରେଜଲ୍ଟ ଜାଣିହେବ । ଅନଲାଇନ୍ ସର୍ଭରରେ ଅଧିକ ଚାପ ଥିବାରୁ କେତେକ ସମୟରେ ସାଇଟ୍ ଧୀରେ ଚାଲିପାରେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।
ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟର ଆଉ ଏକ ବଡ଼ ବିଶେଷତା ହେଉଛି ପ୍ରଥମ ଥର ପାଇଁ ମାତୃଭାଷାରେ ସାର୍ଟିଫିକେଟ୍ ପ୍ରଦାନ । ଏବେ ଦଶମ ବୋର୍ଡ ପରୀକ୍ଷାର୍ଥୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ନିଜର ସାର୍ଟିଫିକେଟ୍ ପାଇପାରିବେ । ଏହାକୁ ନେଇ ଶିକ୍ଷାବିଦ୍ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି । ମାତୃଭାଷାକୁ ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀଙ୍କ ଭାଷାଗତ ପରିଚୟକୁ ସମ୍ମାନ ଦେବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ରେଜଲ୍ଟ ପ୍ରକାଶ ପରେ ଏବେ ଛାତ୍ରଛାତ୍ରୀଙ୍କ ନଜର ରହିଛି ଯୁକ୍ତ ଦୁଇ ନାମଲେଖା ଓ ଆଗାମୀ ଶିକ୍ଷାଜୀବନ ଉପରେ । କିଏ ବିଜ୍ଞାନ, କିଏ ବାଣିଜ୍ୟ ତ କିଏ କଳା ଶାଖାକୁ ଚୟନ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାସହ ବିଭିନ୍ନ ରେସିଡେନ୍ସିଆଲ୍ କଲେଜ୍, ଆଦର୍ଶ ବିଦ୍ୟାଳୟ ଓ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଭର୍ତ୍ତି ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେଠାରୁ ପ୍ରତିସ୍ପର୍ଦ୍ଧା ଆରମ୍ଭ ହୋଇଯାଇଛି ।