
ପଞ୍ଜାବର ମୋହାଲିରେ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ବେସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ତଥା ସହକର୍ମୀ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମଗ୍ର ଘଟଣାଟି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ଯୁବକ ଓ ଯୁବତୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ ବ୍ରେକ୍-ଅପ୍ ହୋଇଥିଲା। ଏହାକୁ ନେଇ ଅଭିଯୁକ୍ତ ଯୁବକ ମାନସିକ ଭାବେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଘଟଣା ଦିନ ସେ କାର୍ଯ୍ୟାଳୟରେ ଯୁବତୀଙ୍କ ସହ କଥାବାର୍ତ୍ତା କରିବା ପରେ ହଠାତ୍ ଉତ୍ତେଜିତ ହୋଇ ଛୁରିରେ ଆକ୍ରମଣ କରିଥିଲା।ଆକ୍ରମଣରେ ଯୁବତୀ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ନିଜକୁ ମଧ୍ୟ ସେହି ଛୁରିରେ ଆଘାତ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍କୁ ଜବତ କରାଯାଇଥିବାବେଳେ ହତ୍ୟାର ପଛରେ ବ୍ରେକ୍-ଅପ୍ ଜନିତ ବିବାଦ ମୁଖ୍ୟ କାରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାଟି ପୁଣିଥରେ ସମ୍ପର୍କ ଭାଙ୍ଗିବା ପରେ ହିଂସାତ୍ମକ ପ୍ରତିକ୍ରିୟାର ଭୟାବହ ପରିଣାମକୁ ସାମ୍ନାକୁ ଆଣିଛି।