ବୃଦ୍ଧି ପାଇବ ଗ୍ୟାସ, ପେଟ୍ରୋଲ,ଡିଜେଲ ଓ ତୈଳ ଦର !

ସରକାର ଘୋଡାଉଛନ୍ତି ଦେଶର ସ୍ଥିତି !
ପଦାରେ ପଡିଲା ନିର୍ବାଚନ ପାଇଁ ସରକାରଙ୍କ ଟାଳଟୁଳନୀତି !

ସରକାର ଦେଶର ଇନ୍ଧନ ସ୍ଥିତିକୁ ନେଇ ଯେଉଁ ଆଶ୍ୱାସନ ଦେଇଆସୁଥିଲେ, ସେଥିରୁ ପରଦା ହଟିଛି । ଆଉ ସତ୍ୟତା ଏବେ ଧୀରେଧୀରେ ପଦାରେ ପଡ଼ୁଥିବା ଦେଖାଯାଉଛି । ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ତୈଳଜାତ ପଦାର୍ଥର ଦର ଶୀଘ୍ର ବୃଦ୍ଧି ପାଇପାରେ ବୋଲି ଆର୍ଥିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏହା ସହ ଚର୍ଚ୍ଚାମଧ୍ୟ ଯୋର ଧରିଛି ନିକଟରେ ରହିଥିବା ନିର୍ବାଚନ ପାଇଁ ରାଜନୀତି ଏକ ପ୍ରକାର ଚାଲିଛି । କୁହାଯାଉଛି ଯେ ସରକାର କାଳେ ଇଚ୍ଛାପୂର୍ବକ ଦର ବୃଦ୍ଧିକୁ ଏପର୍ଯ୍ୟନ୍ତ ଟାଳି ଆସୁଥିଲେ ?

ଗତ କିଛି ବର୍ଷ ଧରି ଭାରତରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ସ୍ଥିର ରହିଛି, ଯଦିଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବହୁତ ଉତ୍ତାର-ଚଢ଼ା ହୋଇଛି। ବିଶେଷତଃ ରୁଷ-ୟୁକ୍ରେନ ଯୁଦ୍ଧ ପରେ ତେଲ ଦର ବଢ଼ିଥିବା ସମୟରେ ମଧ୍ୟ ସରକାର ସିଧାସଳଖ ଭାବେ ଦର ବୃଦ୍ଧି କରିନଥିଲେ। ଏହା ପଛରେ ରାଜନୈତିକ କାରଣ ଥିବା ସନ୍ଦେହ ବଢ଼ୁଛି। ନିର୍ବାଚନ ନିକଟେ ଆସିଲେ ଦରକୁ ନିୟନ୍ତ୍ରଣରେ ରଖି ଭୋଟରମାନଙ୍କୁ ପ୍ରଭାବିତ କରିବା ଏକ ପ୍ରଚଳିତ ରାଜନୈତିକ ରଣନୀତି ହୋଇଥାଏ । ଯାହା ଅନେକ ଦିନ ଧରି ହୋଇଆସୁଛି ।


ଏପରି ସମୟରେ ତେଲ କମ୍ପାନିମାନେ ଭାରି ଆର୍ଥିକ ଚାପରେ ରହିଛନ୍ତି। ଅଶୋଧିତ ତେଲ ଦର ବୃଦ୍ଧି ପାଇଲେ ସେମାନଙ୍କ ଲୋସ୍‌ ବଢ଼େ, କିନ୍ତୁ ଦର ବଢ଼ାଇବାର ସ୍ୱାଧୀନତା ସୀମିତ ଥାଏ। ସରକାର କିଛି ମାତ୍ରାରେ କର ହ୍ରାସ କରି ସେହି ଚାପକୁ କମେଇବାକୁ ଚେଷ୍ଟା କରିଥିଲେ ମଧ୍ୟ, ଏହା ଦୀର୍ଘକାଳୀନ ସମାଧାନ ନୁହେଁ। ତେଣୁ ଆଗାମୀ ଦିନରେ ଦର ବୃଦ୍ଧି ପ୍ରାୟ ନିଶ୍ଚିତ ବୋଲି ଧରାଯାଉଛି।
ଅନ୍ୟପଟେ, ଗ୍ୟାସ ଅଭାବ ଓ ବଜାରରେ ଅନିୟମିତତା ସ୍ଥିତିକୁ ଆହୁରି ଗୁରୁତର କରୁଛି । ଯେଉଁଠାରେ ସରକାର ପକ୍ଷରୁ ପର୍ଯ୍ୟାପ୍ତ ମହଜୁଦ ଥିବା କୁହାଯାଉଛି, ସେଠାରେ ଗ୍ରାମ ଓ ସହରରେ ଲୋକମାନେ ଗ୍ୟାସ ପାଇଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏହା ପ୍ରମାଣ କରୁଛି ଯେ ଯୋଗାଣ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଛି। କେତେକ ସ୍ଥାନରେ କଳାବଜାରୀ ମଧ୍ୟ ଏହାକୁ ଆହୁରି ତୀବ୍ର କରିଦେଇଛି । ଏଇ ଯେମିକି ଏଲପିଜି ଯାହା କଳାବଜାରୀ ପାଇଁ ତିନି ରୁ ଚାରି ହଜାର ପାଖାପାଖିରେ ମିଳୁଛି ।


ବିଶେଷଜ୍ଞମାନଙ୍କ ମତରେ, ଯଦି ମଧ୍ୟପ୍ରାଚ୍ୟର ଯୁଦ୍ଧ ସ୍ଥିତି ଦୀର୍ଘସ୍ଥାୟୀ ହୁଏ, ତେବେ ଆନ୍ତର୍ଜାତୀୟ ତେଲ ଓ ଗ୍ୟାସ ବଜାରରେ ଅସ୍ଥିରତା ଚାଲୁଥିବା ଜାରି ରହିବ। ଭାରତ ଭଳି ଆମଦାନି ନିର୍ଭର ଦେଶ ପାଇଁ ଏହା ଗୁରୁତର ଚିନ୍ତାର ବିଷୟ ନୁହେଁତ ଆଉ କଣ । ଏହାର ପ୍ରଭାବ ଦେଶର ମୁଲ୍ୟସ୍ଫୀତି ଉପରେ ପଡ଼ିବା ସହ ସାଧାରଣ ଲୋକଙ୍କ ଜୀବନଯାପନ ଖର୍ଚ୍ଚ ବଢ଼ାଇବ।ସାରକଥା, ସରକାରଙ୍କ ଦର ନିୟନ୍ତ୍ରଣ ନୀତି ଅଳ୍ପ ସମୟ ପାଇଁ ରାହତ ଦେଇଥିଲେ ମଧ୍ୟ, ଏହାର ପଛରେ ରାଜନୈତିକ ଟାଳଟୁଳ ଥିବା ଅଭିଯୋଗ ଏବେ ଜୋର ଧରିଛି । ଆଗାମୀ ଦିନରେ ଯଦି ହଠାତ୍ ଦର ବୃଦ୍ଧି ହୁଏ, ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଭାରି ଝଟକା ସାବ୍ୟସ୍ତ ହେବ ବୋଲି କହିପାରିବା ।