
୨୦୧୧ର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନିଜର ରାୟକୁ ସୁରକ୍ଷିତ ରଖିଛନ୍ତି। ଏକ ଆଇନଗତ ପ୍ରସଙ୍ଗ ଏହି ଆବେଦନପତ୍ରରେ ଉଠିଥିଲା, ଯେଉଁଥିରେ କୁହାଯାଇଥିଲା ବିବାହ ବିନା ଜନ୍ମ ହୋଇଥିବା ପିଲା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ସେମାନଙ୍କ ମାତାପିତାଙ୍କର ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବେ କି ନାହିଁ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ ଏହି ଆବେଦନ ଉପରେ ବିଭିନ୍ନ ଓକିଲଙ୍କ ଯୁକ୍ତି ଶୁଣିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ରାୟକୁ ସୁରକ୍ଷିତ ରଖିଛନ୍ତି। ସୂଚନାନୁଯାୟୀ, ୨୦୧୧ ମାର୍ଚ୍ଚ ୩୧ରେ ୨ ବିଚାରପତି ବେଞ୍ଚ ଏହି ମାମଲାକୁ ଏକ ବଡ ବେଞ୍ଚକୁ ପଠାଇଥିଲେ। ହିନ୍ଦୁ ବିବାହ ଆଇନର ଧାରା ୧୬(୩) ଅନୁଯାୟୀ ବିନା ବିବାହରେ ଜନ୍ମ ହୋଇଥିବା ପିଲାଙ୍କର ଅଧିକାର କେବଳ ସେମାନଙ୍କ ମାତାପିତାଙ୍କ ଦ୍ୱାରା ଅର୍ଜିତ ହୋଇଥିବା ସମ୍ପତ୍ତି ଉପରେ ହେବ ନା ପୈତୃକ ସମ୍ପତ୍ତି ଉପରେ ମଧ୍ୟ ଅଧିକାର ରହିବ, ତାହା ମଧ୍ୟ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।