ବର୍ବରତା ର ସୀମା ଟପିଲେ ଯୁବକ। ଜଣେ ମାନସିକ ବିକୃତ ଯୁବକକୁ ନିର୍ଘାତ ମାଡ଼ ମାରିବା ସହିତ ଭିଡିଓ ଉତ୍ତୋଳନ କରି ଏହାକୁ ବିଭିନ୍ନ ଗୃପରେ ଭାଇରାଲ କରିଛନ୍ତି। ଏଭଳି ଅଭାବନୀୟ ଅମାନୁଷିକ କାର୍ଯ୍ୟ ଘଟିଛି ପାରାଦ୍ଵୀପ ଷଣ୍ଢକୁଦ ବସ୍ତି ଅଞ୍ଚଳରେ। ମାନସିକ ବିକୃତ ଯୁବକ ଜଣଙ୍କ ଗତ କିଛି ବର୍ଷ ହେଲା ଷଣ୍ଢକୁଦ ବସ୍ତି ଅଞ୍ଚଳରେ ଘୁରି ବୁଲୁଥିବା ବେଳେ କେତେବେଳେ କେମିତି ବାହାରେ ଶୁଖୁଥିବା ଡ୍ରେସ୍ ଗୁଡିକ ଉଠାଇ ନିଅନ୍ତି। ଯେହେତୁ ତାଙ୍କର ମାନସିକ ବିକୃତି ରହିଛି, ତେଣୁ ଲୋକମାନେ ତାକୁ କିଛି କୁହନ୍ତି ନାହିଁ।

ହେଲେ ସ୍ଥାନୀୟ କିଛି ଯୁବକ ତାଙ୍କୁ ଏକ ଘରେ ପୁରାଇ ପାଖାପାଖି ଦୁଇ ଘଣ୍ଟା କାଳ ଏକ ତାର କେବୁଲ୍ ଓ ବାଡ଼ି ସାହାଯ୍ୟରେ ବାଡ଼େଇବା ସହିତ ବିଧା ଗୋଇଠା ମଧ୍ୟ ମାରୁଥିବା ଭିଡିଓ ରେ ଦେଖିବାକୁ ମିଳିଛି। ଏଭଳି ଘଟଣା କେଉଁଦିନ ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆଜି ସକାଳୁ ଏହାର ଦୁଇଟି ଭିଡିଓ ବିଭିନ୍ନ ହ୍ବାଟ୍ସ ଆପ ଗୃପରେ ଘୁରି ବୁଲୁଛି। ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୋଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।