
ବାଲେଶ୍ଵର ଜିଲ୍ଲାରେ ବେଆଇନ ବାଲି କାରବାର ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆକ୍ସନ ମୋଡରେ ବସ୍ତା-ବାଲିଆପାଳ ଜୁନିୟର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା। ବିଳମ୍ବିତ ରାତିରେ ଚଢ଼ାଉ କରି ଏକ ବାଲି ବୋଝେଇ ହାଇଓ୍ବା ଜବତ କରିବା ସହ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛନ୍ତି।
ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଛୋଟ ଖାନପୁର ଓ ଚଡବଢାପାଳ ଅଞ୍ଚଳରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିଲା। ମାଫିଆମାନେ ଜେସିବି, ଡମ୍ପର ଏବଂ ହାଇଓ୍ବା ଲଗାଇ ଦିନରାତି ବାଲି ଲୁଟ୍ କରି ପଡ଼ୋଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲେ। ଖବର ପାଇ ଜୁନିୟର ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା ନିଜ ଟିମ୍ ସହ ରାତିରେ ଚଢ଼ାଉ କରିଥିଲେ। ଖଣି ବିଭାଗକୁ ଦେଖି ଘଟଣାସ୍ଥଳରୁ ଜେସିବିଟି ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ, ଏକ ବାଲି ବୋଝେଇ ହାଇଓ୍ବାକୁ ଅଧିକାରୀ ଜଣକ ଗୋଡାଇ ଗୋଡାଇ ଧରିଥିଲେ |
ଖଣି ବିଭାଗ ପକ୍ଷରୁ ସେହି ହାଇଓ୍ବାକୁ ଜବତ କରାଯାଇ ବାଲିଆପାଳ ଥାନାରେ ଜିମା ଦିଆଯାଇଛି। ବେଆଇନ ଖଣିଜ ସମ୍ପଦ ଲୁଟ୍ ବିରୋଧରେ ଏଭଳି କଡ଼ା ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।