ବିପଦକୁ ସାମ୍ନା କରି ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି ମତ୍ସ୍ୟଜୀବୀ। କିନ୍ତୁ ମଝି ସମୁଦ୍ରରେ ଘଟୁଥିବା ଅଘଟଣ ସେମାନଙ୍କୁ ମୃତ୍ୟୁ ମୁଖରେ ପକାଇଥାଏ। ଏଭଳି ବିପଦକୁ ଏଡ଼ାଇବା ପାଇଁ ନେଟ୍ ଫିସ୍ ପକ୍ଷରୁ ଆରମ୍ଭ ହୋଇଛି ତିନିଦିନିଆ କର୍ମଶାଳା ଏବଂ ପାରାଦ୍ଵୀପ ନେହେରୁବଙ୍ଗଳାରେ ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ।
ସମୁଦ୍ର ଉପରେ ଲକ୍ଷାଧିକ ମତ୍ସ୍ୟଜୀବୀ ନିର୍ଭର କରୁଥିବା ବେଳେ ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ମାଛ ଧରିବା ପାଇଁ ଯାଇଥାନ୍ତି ଗଭୀର ସମୁଦ୍ର ବୁକୁକୁ । ବୋଟ୍ ଗୁଡିକ ପାଖାପାଖି ୮ ରୁ ୧୨ ଦିନ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗା ଗୁଡିକ ଦୈନିକ ଯିବା ଆସିବା କରିଥାନ୍ତି। ଏହି ସମୟରେ ବୋଟ୍ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତ୍ସ୍ୟଜୀବୀ ମାନେ ମୃତ୍ୟୁ ମୁଖରେ ପଡିଥାନ୍ତି । ଏପରିକି ଗଭୀର ସମୁଦ୍ରରେ ଥିବା ବେଳେ ଆସୁଥିବା ଲଘୁଚାପ ଓ ବାତ୍ୟା ଯୋଗୁଁ ବୋଟ୍ ଖରାପ ହୋଇଯିବା ସହିତ ସେମାନେ ଦିଶାହୀନ ଭାବେ ଘୁରି ବୁଲନ୍ତି। ଏହି ଯାନ୍ତ୍ରିକ ତ୍ରୁଟିକୁ ବୋଟର କର୍ମଚାରୀ ବା ମତ୍ସ୍ୟଜୀବୀ ସଜାଡି ପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ବୋଟର ଇଞ୍ଜିନର କାର୍ଯ୍ୟ, ତାହାର ରକ୍ଷଣାବେକ୍ଷଣ ଓ ଯାନ୍ତ୍ରିକ ତ୍ରୁଟିକୁ ସଜାଡ଼ିବା ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ। କେନ୍ଦ୍ରୀୟ ନୈଚାଳନା ଯାନ୍ତ୍ରିକ ପ୍ରଶିକ୍ଷଣ କେନ୍ଦ୍ର (ସିଫ୍ ନେଟ୍) ବିଶାଖାପାଟଣା ଓ ମତ୍ସ୍ୟ ବିଭାଗର ମିଳିତ ସହଯୋଗରେ ପାରାଦ୍ଵୀପର ନେହେରୁ ବଙ୍ଗଳା ମାଛଧରା ବନ୍ଦର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏଥିରେ ତିନୋଟି ଜିଲ୍ଲାର ୫୦ ଜଣ ମତ୍ସ୍ୟଜୀବୀଙ୍କ ସହିତ ବୋଟ୍ ମାଲିକ ମାନେ ମଧ୍ୟ ସାମିଲ ହୋଇଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଥମ ଦିନ ବୋଟ୍ ଓ ଡଙ୍ଗାରେ ଲାଗୁଥିବା ଇଞ୍ଜିନର କାର୍ଯ୍ୟ ଓ ଏହାର ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଦ୍ଵିତୀୟ ଦିନରେ ଇଞ୍ଜିନର ବିଭିନ୍ନ ପାର୍ଟ୍ସ ଓ ଏହାର ଭୁମିକା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ଏବଂ ତୃତିୟ ଦିନରେ ଏହାର ମରାମତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଏଠାରେ ସୂଚନାଯୋଗ୍ୟ, ପାରାଦ୍ଵୀପର ମାଛଧରା ବନ୍ଦରରେ ପାଖାପାଖି ୬୦୦ରୁ ଉର୍ଦ୍ଧ୍ୱ ସୋନା ବୋଟ୍ ଓ ୨୦୦୦ ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ରହିଛି। ଏହା ଉପରେ ପାଖାପାଖି ୫୦ ହଜାର ଲୋକ ନିର୍ଭର କରୁଛନ୍ତି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଅଞ୍ଚଳର ମତ୍ସ୍ୟଜୀବୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯାଉଛି। ଯାହା ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷିତ ରଖିପାରିବ ବୋଲି ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।
ଜଳବାୟୁରେ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ବାତ୍ୟା ଓ ଲଘୁଚାପ ସଂଖ୍ୟା ବଢୁଥିବାରୁ ଏହା ମତ୍ସ୍ୟଜୀବୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ମତ୍ସ୍ୟ ବିଭାଗ ପକ୍ଷରୁ ଗତ ତିନିବର୍ଷ ହେଲା ଆୟୋଜିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିର ମତ୍ସ୍ୟଜୀବୀ ପରିବାରକୁ ଆଶ୍ବସ୍ତ କରିଛି ।ଏହି ପ୍ରଶିକ୍ଷଣ କୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିବା ସହିତ ଗଭୀର ସମୁଦ୍ରରେ ଏହା ଆମପାଇଁ ବରଦାନ ଭଳି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।