
ଜଙ୍ଗଲ ବିଭାଗରେ ଥାର ଗାଡ଼ି କିଣା ଓ ମୋଡିଫିକେସନକୁ ନେଇ ବଡ଼ ଦୁର୍ନୀତି ହୋଇଥିବା ସନ୍ଦେହ ଦିନକୁ ଦିନ ଗଭୀର ହେଉଛି। ବିଧାନସଭାରେ ଥାର ଗାଡ଼ି ମୋଡିଫିକେସନରେ ୫ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଖର୍ଚ୍ଚ ନେଇ ପ୍ରଶ୍ନ ଉଠିବା ପରେ ସରକାରୀ ସ୍ତରରେ ହଟଚମଟ ଆରମ୍ଭ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସୂଚନାମୁତାବକ, ଜଙ୍ଗଲ ଅଞ୍ଚଳରେ ପେଟ୍ରୋଲିଂ କରିବା ଉଦ୍ଦେଶ୍ୟରେ ବନ ବିଭାଗ ୫୧ଟି ଥାର ଗାଡ଼ି କିଣିଛି। ଏହି ୫୧ଟି ଗାଡ଼ି କିଣିବା ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ମୋଡିଫିକେସନ ନାଁରେ ଆଉ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଏହାଫଳରେ ଗୋଟିଏ ଗାଡ଼ି ପାଇଁ ସର୍ବମୋଟ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଛି।
ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବିଷୟରେ ଉତ୍ତର ରଖିବା ପରେ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା। ମନ୍ତ୍ରୀ କହିଥିଲେ, ଜଙ୍ଗଲ ଅଞ୍ଚଳରେ ରାତିରେ ପେଟ୍ରୋଲିଂ ପାଇଁ ଗାଡ଼ିରେ ବଡ଼ ଲାଇଟ, ବମ୍ଫର ମୋଡିଫିକେସନ ସହ ଅନ୍ୟାନ୍ୟ ସୁବିଧା ଯୋଡାଯାଇଛି। ତେବେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇଥିଲେ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ମଧ୍ୟରେ ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍ଙ୍କ କାର୍ଯ୍ୟାଳୟରେ ଥାର ଗାଡ଼ି କିଣା ଓ ମୋଡିଫିକେସନ ସମ୍ପର୍କିତ ସମସ୍ତ ଖର୍ଚ୍ଚର ସ୍ୱତନ୍ତ୍ର ଅଡିଟ୍ କରିବାକୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି।
ଅଟୋମୋବାଇଲ ବିଶେଷଜ୍ଞଙ୍କ ମତାନୁସାରେ, ଏଭଳି ପେଟ୍ରୋଲିଂ ମୋଡିଫିକେସନ କଲେ ସର୍ବାଧିକ ସାଢେ ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ। ତେଣୁ ୧୦ ଲକ୍ଷ ଟଙ୍କା ପ୍ରତି ଗାଡ଼ି ମୋଡିଫିକେସନ ଦାବି ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।
ଏହି ଅଡିଟ୍ ରିପୋର୍ଟ ପରେ ବନ ବିଭାଗର ଥାର ଗାଡ଼ି କିଣା ମାମଲାରେ ଦୁର୍ନୀତିର ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।