ବନ ବିଭାଗର ଅବହେଳା ନେଲା ଗଜରାଜର ଜୀବନ: ଯନ୍ତ୍ରଣାରେ ଆଖି ବୁଜିଲା ଅସୁସ୍ଥ ମାଈହାତୀ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ସୁନାଝରି ସଂରକ୍ଷିତ ଜଙ୍ଗଲରେ ଘଟିଥିବା ଏହି ଅଘଟଣ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଶିକାରୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ବୋମାକୁ ଖାଦ୍ୟ ଭ୍ରମରେ ଖାଇଦେଇଥିବା ଏହି ୮-୯ ବର୍ଷର ହାତୀଟି ଆଜି ଜଙ୍ଗଲ ମଧ୍ୟରେ ମୃତ ଅବସ୍ଥାରେ ମିଳିଛି। ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବୋମା ଖାଇବା ଫଳରେ ହାତୀର ପାଟି ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ଯନ୍ତ୍ରଣା ଯୋଗୁଁ ସେ ଦୀର୍ଘ ଦିନ ଧରି କିଛି ଖାଇପାରୁନଥିଲା। ହାତୀ ଅସୁସ୍ଥ ହେବାର ପ୍ରାୟ ୩-୪ ଦିନ ପରେ ବନ ବିଭାଗ ତାକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିଥିଲା। ମାତ୍ର ଅଭିଯୋଗ ହେଉଛି ଯେ, ଏହି ଚିକିତ୍ସା କେବଳ ଏକ ପ୍ରହସନ ଥିଲା। ହାତୀର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ସତ୍ତ୍ୱେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ଏବଂ କର୍ମଚାରୀମାନେ ତାକୁ ନିଜ ସୀମାରୁ ଅନ୍ୟ ରେଞ୍ଜକୁ ଘଉଡ଼ାଇ ଦେଇଥିଲେ, ଯାହାଫଳରେ ସେମାନଙ୍କୁ ଆଉ ଦାୟିତ୍ୱ ନେବାକୁ ପଡ଼ିବ ନାହିଁ। ଯଦି ହାତୀଟିର ଅବସ୍ଥା ଗୁରୁତର ଥିଲା, ତେବେ ତାକୁ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରକୁ ସ୍ଥାନାନ୍ତର କରାଗଲା ନାହିଁ କାହିଁକି?
ବନ ବିଭାଗ କାହିଁକି ଉପଯୁକ୍ତ ଚିକିତ୍ସା କରିବା ବଦଳରେ ହାତୀକୁ ଜଙ୍ଗଲରେ ବୁଲିବାକୁ ଛାଡ଼ିଦେଲା?

ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଭାଗ କାହିଁକି ବିଫଳ ହେଉଛି?
ଆଜି ଜିରାଳ ଫରେଷ୍ଟ ସେକ୍ସନର ବାସୁଆତଇଳା ନିକଟରେ ହାତୀର ମୃତଦେହ ଠାବ ହେବା ପରେ ବନ ବିଭାଗ ତରବରିଆ ଭାବେ ବ୍ୟବଚ୍ଛେଦ କରି ତାକୁ ପୋତି ଦେଇଛି। ସ୍ଥାନୀୟ ଲୋକଙ୍କ କହିବା କଥା, “ବିଭାଗୀୟ ଦୋଷ ଖସାଇବା ଚକ୍କରରେ ଏକ ନିରୀହ ଗଜରାଜର ବଳି ପଡ଼ିଗଲା।” ଜଙ୍ଗଲ ଏବଂ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବନ ବିଭାଗ ଯଦି ଏଭଳି ଦାୟିତ୍ୱହୀନତା ପ୍ରଦର୍ଶନ କରିବ, ତେବେ ଆଗାମୀ ଦିନରେ ଓଡ଼ିଶାର ଗଜରାଜ ବଂଶ ଲୋପ ପାଇବା ନିଶ୍ଚିତ।