ବଦଳିବ ବିକୃତ ଇଂରାଜୀ ସ୍ଥାନନାମ: ଓଡ଼ିଆ ଉଚ୍ଚାରଣକୁ ସରକାରୀ ସ୍ୱୀକୃତି

ରାଜ୍ୟର ଅନେକ ସ୍ଥାନରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିକୃତ ଇଂରାଜୀ ନାମ ବଦଳିବ। ଓଡ଼ିଆ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସରକାରୀ ରେକର୍ଡରେ ସଠିକ ଭାବେ ପ୍ରତିବିମ୍ବିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏହି ପଦକ୍ଷେପ ନେଇଛନ୍ତି। ବିଭିନ୍ନ ସ୍ଥାନର ଇଂରାଜୀ ନାମରେ ଥିବା ତ୍ରୁଟି ସୁଧାରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।

ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକର ନାମ ଇଂରାଜୀରେ ଭୁଲ ଭାବେ ଲେଖାଯାଇ ଭ୍ରାନ୍ତ ଉଚ୍ଚାରଣରେ ବ୍ୟବହୃତ ହେଉଛି। ଏହାକୁ ସଠିକ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରାଯିବ। ଏହି ପ୍ରକ୍ରିୟାରେ ମାଲକାନଗିରି, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଓ ନୟାଗଡ଼ ସହିତ ଅନ୍ୟାନ୍ୟ ଜିଲ୍ଲାର ନାମ ସଠିକ କରାଯିବ।ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ମତାମତ ଗ୍ରହଣ କରାଯିବ ନାହିଁ । ଯଦି ନିର୍ଦ୍ଧାରିତ ସମୟସୀମାରେ କୌଣସି ଆପତ୍ତି ମିଳିନାହିଁ, ତେବେ ସରକାର ଆଇନାନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ । ଏହି ପଦକ୍ଷେପ ଫଳରେ ସରକାରୀ ରେକର୍ଡରେ ସ୍ଥାନନାମଗୁଡ଼ିକର ସଠିକ ଓଡ଼ିଆ ରୂପ ସୁନିଶ୍ଚିତ ହେବା ସହ ରାଜ୍ୟର ଐତିହ୍ୟ ଓ ଭାଷାଗତ ପରିଚୟ ଅଧିକ ସୁଦୃଢ଼ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।