ବଢୁଛି ଜାଡ, ଥରୁଛି ଓଡିଶା

ଆଜିଠୁ ରାଜ୍ୟରେ ବଢିବ ଶୀତ । କିଛିଦିନ ହେବ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ସହରରେ ରାତିରେ ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୧୨ ତାରିଖ ଯାଏ ଶୀତର ପ୍ରକୋପ ଜାରି ରହିବ। ଆସନ୍ତା ୧୩ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୀତ କମିବ ।

ସେଥିପାଇଁ ୧୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୧୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି । ୧୧ଟି ସ୍ଥାନ ରେ ତାପମାତ୍ରା ୧୦ ଡିଗ୍ରୀ ରହିଛି ବୋଲି କୁହାଯାଇଛି ।

ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଛି । ଆଜି ସକାଳ ୫ଟା ୩୦ରେ ଝାରସୁଗୁଡ଼ା ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସକାଳ ୬ଟା ସୁଦ୍ଧା ଶିମିଳିପାଳ ଅଭୟରଣ୍ୟର ବାରହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି , ବରେହିପାଣିରେ ୬ ଡିଗ୍ରୀ, ଗୁରୁଗୁଡ଼ିଆରେ ୭ ଡିଗ୍ରୀ ସାତକୋଶିଆରେ ୧୨ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ରହିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଶୀତରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ପାହାନ୍ତିଆରୁ ଘନ କୁହୁଡି ପାଇଁ ଲୋକଙ୍କ ଯାତାୟତରେ ବି ସମସ୍ୟା ଉପୁଜୁଛି । ଶୀତରେ ଲୋକେ ନିଜକୁ ଫିଟ୍ ରଖିବାକୁ ମର୍ଣ୍ଣିଂ ୱାର୍କ ସହ ଖେଳ କୁଦ କରି ସମୟ କାଟୁଛନ୍ତି ।