
ଆଜିକାଲି ସମୟରେ ପ୍ରାୟ ସମସ୍ତେ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ +୨ ପ୍ରଥମ ବର୍ଷରେ ପଢୁଥିବା ଜଣେ କଲେଜ ଛାତ୍ରୀ ଅଧିକ ଫାଷ୍ଟଫୁଡ ସେବନ କରି ମୃତ୍ୟୁବରଣ କରିଥିବା ଜଣାପଡିଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ମୃତ୍ୟୁର ପ୍ରଧାନ କାରଣ ମାତ୍ରାଧିକ ଜଙ୍କ ଫୁଡ୍ ସେବନ କରିବା।
ରିପୋର୍ଟ ଅନୁସାରେ, ଛାତ୍ରୀଜଣକ ଅମରୋହା ନଗର କୋତୱାଲି ଅଞ୍ଚଳର ଆଫଗାନ ମୋହଲ୍ଲାର ବାସିନ୍ଦା ଥିଲେ। ତାଙ୍କର ଚାଉମିନ୍, ମ୍ୟାଗି, ପିଜା ଓ ବର୍ଗର ଭଳି ଫାଷ୍ଟଫୁଡ ଖାଇବାର ଅଭ୍ୟାସ ଥିବା କଥା ପରିବାର ସଦସ୍ୟମାନେ କହିଛନ୍ତି। କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବା ପରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା।
ଚିକିତ୍ସକମାନଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଫାଷ୍ଟଫୁଡ ସେବନ ଯୋଗୁଁ ଛାତ୍ରୀଙ୍କ ଅନ୍ତନଳୀରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥିଲା। ଅବସ୍ଥା ସଂକଟପୂର୍ଣ୍ଣ ହେବାରୁ ଅନ୍ତନଳୀ ସଫା କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ତଥାପି, ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଅତି କମ ବୟସରେ ଏଭଳି ମୃତ୍ୟୁ ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏହି ଘଟଣା ଫାଷ୍ଟଫୁଡ ଓ ଜଙ୍କ ଫୁଡ୍ ପ୍ରତି ସଚେତନତାର ଆବଶ୍ୟକତାକୁ ପୁନର୍ବାର ଉଜାଗର କରିଛି।