
ଗାଡି ଚେକିଂ ସମୟରେ ପୁଲିସକୁ ଆକ୍ରମଣ କଲେ ଦୁଇ ବାଇକ ଆରୋହୀ | ଆଉ ପୁଲିସର କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି | ତାମିଲନାଡୁର ଚେନ୍ନାଇରେ ଆଜି ଏହି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଚେନ୍ନାଇ ଉପକଣ୍ଠରେ ପୁଲିସ ଗାଡି ଯାଞ୍ଚ କରୁଥିଲା ବେଳେ ଦୁଇଜଣ ବାଇକ ଆରୋହୀ ଡିଉଟିରେ ଥିବା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ)ଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ପରେ ପୁଲିସ ମଧ୍ୟ ଏହାର ଜବାବ ଦେବାକୁ ଯାଇ ଗୁଳି ଚଳାଇଥିଲା |
ଏହି ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି | ପୁଲିସ କହିଛି ଯେ ଉଭୟଙ୍କର ଅପରାଧିକ ରେକର୍ଡ ରହିଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଉଭୟ ପେସାଦାର ଅପରାଧୀ ହୋଇଥିବାବେଳେ ଏମାନଙ୍କ ନିକଟରେ ଛୁରୀ ଓ ଭୁଜାଲି ଥିଲା | ଆଜି ଭୋର ପ୍ରାୟ ୩ଟା ୩୦ ସମୟରେ ଗୁଦୁଭାନଚେରୀ ନିକଟରେ ଗାଡି ଚେକିଂ ଚାଲିଥିବାବେଳେ ଏମାନଙ୍କୁ ପୁଲିସ ଅଟକାଇଥିଲା |
ତେବେ ଏହି ଦୁଇ ଅପରାଧୀ ପୁଲିସ ଏସଆଇଙ୍କୁ ଆକ୍ରମଣ କରି ଖସି ପଳାଇଯିବାକୁ ଚେଷ୍ଟା କରୁଥିଲେ | ଏହି ଦୁଇଜଣ କେବଳ ଆକ୍ରମଣ କରିନଥିଲେ ବରଂ ପୁଲିସ ଏସଆଇଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ | ନିଜ ଜୀବନ ବଞ୍ଚାଇବାକୁ ପୁଲିସ ଏସଆଇ ଜଣକ ଜଣେ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଥିଲେ |
ଏହା ପରେ ଅନ୍ୟ ଅପରାଧୀ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବାବେଳେ ପୁଲିସ ଏନକାଉଣ୍ଟର କରିଥିଲା | ଏହାପରେ ପୁଲିସ ଆହତ ଏସଆଇଙ୍କ ସହ ଦୁଇ ଅପରାଧୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା | ଯେଉଁଠାରେ ଡାକ୍ତରମାନେ ଦୁଇ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସର ସୂଚନାନୁସାରେ ମୃତ ବ୍ୟକ୍ତିଙ୍କ ନାମ ଛୋଟା ବିନୋଦ (୩୫) ଏବଂ ଏସ ରମେଶ (୩୨) ବୋଲି ଜଣାପଡିଛି। ଉଭୟ ଛୋଟା ବିନୋଦ ଏବଂ ଏସ ରମେଶ ଅଭ୍ୟାସଗତ ଅପରାଧୀ ଏବଂ ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ୨୦ରୁ ଅଧିକ ମାମଲା ରହିଛି |