
ପୁରୀ ବଡଦାଣ୍ଡର ବଳଗଣ୍ଡି ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବୋଲେରୋ ଗାଡ଼ିର ଧକ୍କାରେ ୫ ବର୍ଷୀୟ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଜଣେ ବୃଦ୍ଧ ଓ ତାଙ୍କ ୫ ବର୍ଷୀୟ ନାତି ସ୍କୁଟିରେ ଜଳଖିଆ କିଣିବା ପାଇଁ ବଡଦାଣ୍ଡ ଦେଇ ବଳଗଣ୍ଡି ଛକକୁ ଆସିଥିଲେ। ଜଳଖିଆ କିଣି ସ୍କୁଟିରେ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ବୋଲେରୋ ହଠାତ୍ ଧକ୍କା ଦେଇଥିଲା। ଧକ୍କାରେ ଜେଜେ ତଳେ ପଡ଼ିଯାଇଥିବାବେଳେ ବୋଲେରୋଟି ଛୋଟ ପିଲାଟିକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।
ଘଟଣା ଦେଖି ସ୍ଥାନୀୟ ଲୋକେ ହୋହାଲ୍ଲା କରିଥିବାବେଳେ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଥିଲେ। ତେବେ ଲୋକମାନେ ତାଙ୍କୁ କାବୁ କରି ପୁଲିସଙ୍କୁ ସୂଚନା ଦେଇଥିଲେ। ସାଙ୍ଗେ ସାଙ୍ଗେ ଗୁରୁତର ଆହତ ପିଲାଟିକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ବଳଗଣ୍ଡି ଛକ ଓ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ହେପାଜତ ନେଇ ତଦନ୍ତ ଆରମ୍ଭ କରିଛି।