
ରାଜଧାନୀ ଭୁବନେଶ୍ୱର ପୁଣି ଏକ ଲଜ୍ଜାଜନକ ଘଟଣାରେ କମ୍ପି ଉଠିଛି। ଲିଙ୍ଗିପୁର ଦୟା ନଦୀପଠା ଘଟଣାର ଆଘାତ ସରିନଥିବାବେଳେ ସହିଦନଗର ଅଞ୍ଚଳରୁ ଆସିଥିବା ଗଣଦୁଷ୍କର୍ମ ଅଭିଯୋଗ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ପୁଣି ପ୍ରଶ୍ନବିଦ୍ଧ କରିଛି। ଚାକିରି ଦେବା ନାମରେ ଜଣେ ନାବାଳିକାଙ୍କୁ ଭୁବନେଶ୍ୱରକୁ ଡାକି ଅମାନବୀୟ କାଣ୍ଡ ଘଟାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ପୀଡ଼ିତା ଜଣେ ଅଭିଯୁକ୍ତଙ୍କୁ ପୂର୍ବରୁ ଜାଣିଥିଲେ। ସେ ଡାଟା ଏଣ୍ଟ୍ରି ଅପରେଟର ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଭୁବନେଶ୍ୱର ଡାକିଥିଲା। ଗତ ୧୮ ତାରିଖରେ ସହିଦନଗର ଅଞ୍ଚଳରେ ଥିବା ଏକ ଭଡ଼ାଘରକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଚାକିରି ଦେବାର ଆଶା ଦେଖାଇ ନାବାଳିକାଙ୍କୁ ଫାନ୍ଦରେ ପକାଇଥିଲେ। ଘଟଣା ପରେ ପୀଡ଼ିତା କୌଶଳକ୍ରମେ ସେଠାରୁ ପଳାଇ ଆସି ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସହିଦନଗର ଥାନାର ପୋଲିସ ତତ୍ପରତା ପ୍ରଦର୍ଶନ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ଏବଂ ମାମଲାର ସମସ୍ତ ଦିଗକୁ ଗଭୀର ଭାବେ ତଦନ୍ତ କରାଯାଉଛି। ରାଜଧାନୀରେ ପୁଣି ଏପରି ଘଟଣା ଘଟିବା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି। ନାବାଳିକାଙ୍କ ସୁରକ୍ଷା ଓ ଚାକିରି ଲୋଭ ଦେଖାଇ, ହେଉଥିବା ଅପରାଧ ଉପରେ କଠୋର ପଦକ୍ଷେପ ନେବାକୁ ସମସ୍ତ ମହଲରୁ ଦାବି ହେଉଛି।