ଲେବାନନ ଉପରେ ପୁଣି ଥରେ ଆକ୍ରମଣ କରିଛି ଇସ୍ରାଏଲ। ରକେଟ୍ ମାଡରେ ଥରି ଉଠିଛି ଲେବାନନ। ଲେବାନନର ଟାୟାର ଅଞ୍ଚଳରେ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ଏଥିରେ ୧୧ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୪୮ ଜଣ ଆହାତ ହୋଇଛନ୍ତି । ବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ଏବଂ ଟପ୍ ହେଜବୁଲ୍ଲା ନେତା ହାସନ ନସ୍ରଲ୍ଲାଙ୍କ ହତ୍ୟା ପରେ ଆଫିଫ ଗଣମାଧ୍ୟମରେ ନିଜ ସଂଗଠନର ପକ୍ଷ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଇସ୍ରାଏଲ ସୈନ୍ୟମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି।ଅନ୍ୟପଟେ ଉତ୍ତର ଗାଜାର ବେତ ଲୋହିୟାରେ ଇସ୍ରାଏଲ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ବେତ୍ ଲୋହିୟାର କମାଲ ଆଦୱାନ ହସ୍ପିଟାଲର ନିର୍ଦ୍ଦେଶକ ହୋସାମ ଆବୁ ସଫିଆ କହିଛନ୍ତି ଯେ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ମାଟି ତଳେ ପୋତି ହୋଇ ରହିଛନ୍ତି।