ଋତୁଚକ୍ର ପରିବର୍ତ୍ତନର ତାଳେ ତାଳେ ବଦଳିଯାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତାର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୁଲ୍ୟ ଉପହାର ଦେଖାଦିଏ ବିଲମାଳ , ରାସ୍ତାକଡ, ନଇପଠା ଓ ଖାଲୁଆ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର ରେଶମା କାଶତଣ୍ଡି । ସତେ ଯେପରି ଧରଣୀ ରାଣୀ ଶୁଭ୍ର ବତ୍ସ ପରିଧାନ କରିଛନ୍ତି । ମାଆଙ୍କ ଆଗମନର ବାର୍ତ୍ତା ନେଇ କାଶତଣ୍ଡୀ ଧରାକୁ ସଜ୍ଜିତ କଲାଣି । ରାସ୍ତାକଡରୁ ଆରମ୍ଭ କରି ନଦୀ ପଠା ଯାଏଁ ସବୁଆଡେ ସୌନ୍ଦର୍ଯ୍ୟ ଭରିଯାଇଛି ।
ଏହି କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟରେ ପଥିକ ଟିଏ ବିମୋହିତ ହୋଇ ଘଡିଏ ଅଟକି ଯାଏ । ସୃଷ୍ଟିକର୍ତ୍ତାଙ୍କ ଏହି ସୃଷ୍ଟି ରମଣୀୟ।କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପ ରେ ସମସ୍ତ ଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁ ରେ ଦୋଳାୟମାନ ହେଉଥାଏ ଏବଂ କବି ଏହି ଫୁଲକୁ ଦେଖି ବିଭୋର ହୋଇଯାଏ ସେତେବେଳେ ତା କଲମ ମୁନରୁ ଝରିପଡେ ସୁନ୍ଦର କବିତାରାଜି।
ଦୋଳାୟିତ କାଶତଣ୍ଡି ଚାମର ସଦୃଶ ଦେଖାଯାଏ । ଏଇ ଚାମର ହଲାଇ ଆଦିଶକ୍ତିକୁ ସ୍ବାଗତ କରିଥାଏ । କାରଣ ମାଆକୁ ସ୍ବାଗତ ଜଣାଇବା ପାଇଁ ସେ ବରଦାନ ପାଇଛି । କାଶତଣ୍ଡି ଫୁଲର ସମ୍ଭାର ପ୍ରକୃତି ପ୍ରେମିକୁ ଆକୃଷ୍ଟ କରେ । ପକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳିର ସ୍ପର୍ଶ । ତାର ବାସନା ନାହିଁ ସତ ହେଲେ ତାର ଶୁଭ୍ରରୂପ ବଦଳାଇ ଦିଏ ତନୁମନ ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ । ଏହା ସହିତ ସେଲଫି ନେବାକୁ ସେ ବ୍ୟାକୁଳ ହୋଇଉଠେ । କାଶତଣ୍ଡି ଖୁସି ବାଣ୍ଟି ବାଣ୍ଟି ପ୍ରକୃତି କୋଳରେ ଝାଉଁଳି ପଡେ ଏବଂ ଅପେକ୍ଷା କରିଥାଏ ଆଗାମୀ ଶରତକୁ ।