ପାରାଦ୍ୱୀପରେ ଆରମ୍ଭ ହେଲା ୭ ଦିନିଆ ପାରାଦ୍ୱୀପ ମହୋତ୍ସବ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ପାରାଦ୍ୱୀପର ଜୟଦେବ ସଦନ ପଡ଼ିଆରେ ଉଦଘାଟିତ ହୋଇଛି ପାରାଦ୍ୱୀପ ମହୋତ୍ସବ। ଦୀର୍ଘ ୭ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦଘାଟନୀ ଉତ୍ସବ ଉତ୍ସାହ ଓ ଉଲ୍ଲାସରେ ପରିପୂର୍ଣ୍ଣ ଥିଲା।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହାରାନାଦ ଉପସ୍ଥିତ ରହି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଦର୍ଶନ, ରାଷ୍ଟ୍ରନିର୍ମାଣରେ ତାଙ୍କ ଅବଦାନ ଓ ପ୍ରଧାନମନ୍ତ୍ରୀତ୍ୱ କାଳରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ସହ ବିଭିନ୍ନ ଓ୍ୱାର୍ଡର ପାରିଷଦମାନେ ଉପସ୍ଥିତ ରହିଥିଲେ।

ଆସନ୍ତା ୭ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓଡ଼ିଶାର ବହୁ ବୁଦ୍ଧିଜୀବୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ରହିଛି। ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବ୍ୟବସାୟୀମାନେ ଘରକରଣା ସାମଗ୍ରୀ ଓ ମନୋରଞ୍ଜନ ସାମଗ୍ରୀର ଷ୍ଟଲ୍ ଖୋଲିଛନ୍ତି।

ଶୀତୁଆ ସନ୍ଧ୍ୟାରେ ପାରାଦ୍ୱୀପବାସୀ ଚଟପଟି ଖାଦ୍ୟର ସ୍ୱାଦ, ଘରକରଣା ସାମଗ୍ରୀର କିଣାକିଣି ଓ ରଙ୍ଗିନ ଆଲୋକରେ ମଞ୍ଚସ୍ଥ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବା ପାଇଁ ମହୋତ୍ସବ ପଡ଼ିଆକୁ ଭିଡ଼ କରୁଥିବା ଦେଖିବାକୁ ମିଳିଛି। ପରିବାର ସହିତ ଶିଶୁ, ଯୁବ ଓ ବୃଦ୍ଧମାନେ ମହୋତ୍ସବର ମନୋରଞ୍ଜନାତ୍ମକ ପରିବେଶରେ ଖୁସି ମନାଉଥିବା ଦୃଶ୍ୟ ପାରାଦ୍ୱୀପକୁ ଏକ ଉତ୍ସବମୟ ରୂପ ଦେଇଛି।