ଟି-୨୦ ବିଶ୍ୱକପ୍ରେ ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଅସ୍ୱୀକାର କରିପାରେ ବୋଲି ଯେଉଁ ଘୋଷଣା ସାମ୍ନାକୁ ଆସିଛି, ତାହାକୁ ନେଇ କ୍ରିକେଟ୍ ମହଲରେ ଅବିରତ ଚର୍ଚ୍ଚା ଚାଲୁଛି। ତଥାପି, ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବ ଇତିହାସକୁ ମନେ ପକାଇ ଅନେକ ଜଣଙ୍କ ମନେ ଧାରଣା — ଶେଷକେ ପିସିବି ଏହି ନିଷ୍ପତ୍ତିରୁ ପଛକୁ ହଟିବାର ସମ୍ଭାବନା କମ୍ ନୁହେଁ।

ଭାରତୀୟ କ୍ରିକେଟ୍ ଦିଗଗଜ ସୁନୀଲ ଗାଭାସ୍କରଙ୍କ ମତ ଅନୁସାରେ, ପାକିସ୍ତାନଙ୍କ “ୟୁ-ଟର୍ଣ୍ଣ” ନେବାର ଐତିହାସ ଆଗରୁ ମଧ୍ୟ ରହିଛି। ସେ କହିଛନ୍ତି, ପାକିସ୍ତାନୀ ଖେଳାଳିମାନେ ଅବସର ଘୋଷଣା କରି କିଛି ଦିନ ମଧ୍ୟେ ପୁଣି ଫେରି ଆସିବା ଘଟଣା ନୂଆ ନୁହେଁ। ଏହି ଧାରାବାହିକତା ଦେଖି ଅନେକଙ୍କ ମତ, ପିସିବି ମଧ୍ୟ ଏବେର ଚର୍ଚ୍ଚିତ ନିଷ୍ପତ୍ତିକୁ ପୁଣି ପରିବର୍ତ୍ତନ କରିପାରେ।

ଯଦି ପିସିବି ନିଜ ନିଷ୍ପତ୍ତିରେ ଅଟଳ ରହେ ଓ ମ୍ୟାଚ ଖେଳେନାହିଁ ତେବେ ଭାରତୀୟ ଦଳର ପରବର୍ତ୍ତି ପଦକ୍ଷେପ କଣ ହେବ? ଭାରତୀୟ ଦଳ କ”ଣ ଏହି ମ୍ୟାଚ ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ? ଏହାର ଉତ୍ତର ହେଉଛି, ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ ନିଶ୍ଚିତ ଭାବେ ଶ୍ରୀଲଙ୍କା ଗସ୍ତ କରିବ। ଆଇସିସିର ପ୍ରୋଟୋକଲ୍ ଅନୁସାରେ ଗୋଟିଏ ପ୍ରତିଯୋଗିତାରେ ଓ୍ବାକ୍-ଓଭର ପଏଣ୍ଟ ପାଇବାକୁ ହେଲେ ଗୋଟିଏ ଦଳକୁ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ପଡ଼ିବ। ଏପରିକି ଦଳର ଅଧିନାୟକଙ୍କୁ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିବେ। ଯଦି ବିପକ୍ଷ ଦଳର ଅଧିନାୟକ ଟସ୍ ପାଇଁ ଆସନ୍ତି ନାହିଁ, ତେବେ ରେଫରି ମ୍ୟାଚକୁ ବାତିଲ୍ ଘୋଷଣା କରିବା ସହ ପଡ଼ିଆରେ ଉପସ୍ଥିତ ଥିବା ଦଳକୁ ଅଙ୍କ ପ୍ରଦାନ କରନ୍ତି।

ଏଣୁ ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଉପସ୍ଥିତ ରହିବ। ଏହା ସହିତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିବେ ଓ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଅପେକ୍ଷା କରିବେ। ଯଦି ସଲମାନ ଟସ୍ ପାଇଁ ଆସନ୍ତି ନାହିଁ ତେବେ ମ୍ୟାଚ୍ ରଦ୍ଦ ହେଲା ବୋଲି ଘୋଷଣା କରାଯିବ ଓ ଭାରତକୁ ଓ୍ବାକ-ଓଭର ପ୍ରଦାନ କରାଯିବା ସହ ୨ ଅଙ୍କ ପ୍ରଦାନ କରାଯିବ।
