ପବିତ୍ର ଶ୍ରୀରାମନବମୀରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପାରମ୍ପରିକ ‘ସାହିଯାତ’

ଆଜି ପବିତ୍ର ଶ୍ରୀରାମନବମୀ ଅବସରରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ‘ସାହିଯାତ’ ଆରମ୍ଭ ହେଉଛି। ଶ୍ରୀମନ୍ଦିରର ରୀତିନୀତି ସହ ଗାଢ଼ ଭାବେ ସମ୍ପୃକ୍ତ ଏହି ପରମ୍ପରାରେ ରାମାୟଣର କଥାବସ୍ତୁକୁ ଆଧାର କରି ଅନେକ ନୀତିକାନ୍ତି ପାଳନ କରାଯାଏ। ଶ୍ରୀରାମଙ୍କ ଜନ୍ମରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏଥିରେ ଅନୁଷ୍ଠିତ ହେବ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଶ୍ରୀରାମଲୀଳାର ବିଶେଷ ସ୍ଥାନ ରହିଛି। କାଳକ୍ରମେ ଏହି ଲୀଳା ଶ୍ରୀମନ୍ଦିର ସୀମା ଛାଡ଼ି ସଂଲଗ୍ନ ସାହିଗୁଡ଼ିକୁ ବ୍ୟାପି ଯାଇଛି। ମୁକ୍ତାକାଶ ତଳେ ସାହିମାନଙ୍କ ମଧ୍ୟରେ ଶ୍ରୀରାମଙ୍କ ଜନ୍ମରୁ ରାବଣ ବଧ ପର୍ଯ୍ୟନ୍ତ ପୌରାଣିକ ଘଟଣାମାଳାକୁ ନାଟ୍ୟରୂପେ ଉପସ୍ଥାପନ କରାଯାଉଥିବାରୁ ଏହାକୁ ‘ସାହିଯାତ’ ବୋଲି କୁହାଯାଏ। ଏହି ଉତ୍ସବରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ଓ ପାରମ୍ପରିକ ବାଦ୍ୟର ସମ୍ମିଳନ ଦେଖିବାକୁ ମିଳେ, ଯାହା ଯାତର ଗାରିମାକୁ ଅଧିକ ବୃଦ୍ଧି କରେ। ସାହିଯାତ ପାଇଁ ଶ୍ରୀକ୍ଷେତ୍ରର ବିଭିନ୍ନ ସାହି ଓ ଆଖେଡାମାନେ ଚଳଚଞ୍ଚଳ ହୋଇଯାଇଛନ୍ତି, ଏବଂ ଆଜିଠାରୁ ବୀର ବାଦ୍ୟର ନାଦରେ ଗଳିକନ୍ଦି ମୁହୁଁରିଉଠିବ।

ଉତ୍ସବକୁ ସୁଚାରୁରୂପେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା ନିଆଯାଇଛି। କୌଣସି ପ୍ରକାର ବିଶୃଙ୍ଖଳା ନ ହେବାକୁ ସତର୍କତା ଅବଲମ୍ବନ କରାଯାଇଛି। ଏହାସହ ପୁରୀ ପୌରସଂସ୍ଥା ମଧ୍ୟ ରାସ୍ତା ସଫା, ମରାମତି, ଆଲୋକ ବ୍ୟବସ୍ଥା ଆଦି ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛି ବୋଲି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।