ପଦ୍ମଶ୍ରୀ ସମ୍ମାନରେ ଚାରି ଓଡ଼ିଆ, ସାନ୍ତାଳୀ ସାହିତ୍ୟକୁ ମିଳିଲା ସ୍ୱୀକୃତି

ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନ ପକ୍ଷରୁ ପଦ୍ମ ପୁରସ୍କାର ପ୍ରାପ୍ତକାରୀଙ୍କ ତାଲିକା ଘୋଷଣା କରାଯାଇଛି | ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏଥର ଓଡ଼ିଶାର ଚାରି ଜଣ ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ | ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଚରଣ ହେମ୍ବ୍ରମଙ୍କୁ ଏହି ଗରିମାମୟ ସମ୍ମାନ ମିଳିବାକୁ ଯାଉଛି | ସେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ପୁରୁଣାଘାଟି ନୂଆଗାଁ ଗ୍ରାମରେ ୯ ଫେବୃଆରୀ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ |

ଛୋଟବେଳୁ ଶିକ୍ଷା ପ୍ରତି ଗଭୀର ଆଗ୍ରହ ରଖୁଥିବା ଚରଣ ହେମ୍ବ୍ରମ ୧୯୭୧ ମସିହାରେ ମାଟ୍ରିକ ପାସ କରିବା ପରେ ଶିକ୍ଷକତା ପାଇଁ ତାଲିମ ଗ୍ରହଣ କରିଥିଲେ | ସେ ଏକାଧାରରେ ଜଣେ ସାହିତ୍ୟିକ, ସଙ୍ଗୀତ ନିର୍ଦ୍ଦେଶକ, ଆଦିବାସୀ ଡ୍ରାମା ଓ ନୃତ୍ୟ ନିର୍ଦ୍ଦେଶକ ଭାବେ ଖୁବ୍ ପରିଚିତ |


ଚରଣ ହେମ୍ବ୍ରମ କହିଛନ୍ତି ଯେ , “୧୯୯୨ ମସିହାରୁ ମୁଁ ସାନ୍ତାଳୀ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାରରେ ଲାଗିଥିଲି। ବିଭିନ୍ନ ସ୍କୁଲରେ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଦେଉଥିଲି। ଲୋକଙ୍କ ସ୍ନେହ ଓ ସମ୍ମାନ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଛି।”
ସାନ୍ତାଳୀ ଭାଷା, ଆଦିବାସୀ ସଂସ୍କୃତି ଏବଂ ଅଲଚିକି ଲିପିର ବିକାଶ ପାଇଁ ସେ ଅନେକ ପୁସ୍ତକ, ବହି ଓ ଜର୍ଣ୍ଣାଲ ରଚନା କରିଛନ୍ତି | ଆସେକା ସଂଗଠନର ଆଜୀବନ ସଦସ୍ୟ ଭାବେ ରହିବା ସହ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସହ ସେ ସକ୍ରିୟ ଭାବେ ଜଡିତ ଥିଲେ |

ପଦ୍ମଶ୍ରୀ ସମ୍ମାନ ଘୋଷଣା ପରେ ରାଇରଙ୍ଗପୁର ଉପଖଣ୍ଡରେ ଖୁସିର ମାହୋଲ ଦେଖାଦେଇଛି | ତାଙ୍କ ବାସଭବନରେ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି | ସାନ୍ତାଳୀ ଭାଷା ଓ ଆଦିବାସୀ ସଂସ୍କୃତିକୁ ଜାତୀୟ ସ୍ତରରେ ପରିଚୟ ଦେଇଥିବା ଚରଣ ହେମ୍ବ୍ରମଙ୍କ ପଦ୍ମଶ୍ରୀ ସମ୍ମାନ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ସମ୍ମାନର କଥା|