ନଦୀପାଣି ପିଇ ଗ୍ରାମବାସୀ ରୋଗାକ୍ରାନ୍ତ

ବର୍ଷା ପରେ ଝାଡ଼ାବାନ୍ତି ଦାଉ ସାଧିଛି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମମିଆଁ ଗାଁରେ ଗତ ୫ଦିନ ମଧ୍ୟରେ ୩ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି ଏବଂ ୧୦ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଆଉ କିଛି ଆକ୍ରାନ୍ତ ଗାଁରେ ଚିକିତ୍ସାଧୀନ ଅଛନ୍ତି।

ସିଂଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ପାଇ ଗାଁକୁ ଯାଇ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି।

ମମିଆଁ ଗାଁରେ ଲୋକମାନେ ନଦୀରୁ ପାଣି ଆଣି ପିଉଛନ୍ତି ବୋଲି କହିଛନ୍ତି ସିଂଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ୱନାଥ ଖୁଣ୍ଟିଆ । ପାଣି ଟେଷ୍ଟିଂ ପାଇଁ ପଠାଯାଇଛି ଓ ସେମାନଙ୍କୁ ନଦୀ ପାଣି ପିଇବାକୁ ମନା କରାଯାଇଛି। ୩ଟି ଡାକ୍ତରୀ ଟିମ୍‌ ଗାଁକୁ ଯାଇ ଲୋକଙ୍କ ଚିକିତ୍ସା କରିଛନ୍ତି। ଘର ଘର ବୁଲି ଡାକ୍ତର ଟିମ୍ ସ୍ଥିତି ସମୀକ୍ଷା କରିଛନ୍ତି।ବର୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Leave a Reply

Your email address will not be published. Required fields are marked *