ଧୋକା ଦେଇଛି ରୁଙ୍ଗଟା ମାଇନ୍ସ

ଗରିବ ଲୋକଙ୍କ ପାଇଁ ଜମି ରାକ୍ଷସ ସାଜିଛି ରୁଙ୍ଗଟା ମାଇନ୍ସ , ଲୋକଙ୍କୁ ନାଲି ଆଖି ଦେଖାଇ ଜମି ହଡପ ପାଇଁ ଚଳାଇଛି ବଡ ମାଷ୍ଟର ପ୍ଲାନ , ଲୋକଙ୍କ ଜାଗା ବଦଳରେ ଟଙ୍କା ନଦେଇ ଲୋକଙ୍କୁ ବର୍ଷ ବର୍ଷ ଧରି ଠକି ଆସୁଛି ରୁଙ୍ଗଟା କମ୍ପାନୀ , ଯେଉଁଥିପାଇଁ ଏବେ ଢେଙ୍କାନାଳ ଅଂଚଳରେ ଦେଖିବାକୁ ମିଳିଛି ବିରାଟ ଜନ ଅସନ୍ତୋଷ | ସ୍ଥାନୀୟ ପ୍ରଶାସନ ଓ ଲୋକାଲ ନେତାଙ୍କ ସହ ମିଶି ଲୋକଙ୍କ ଜାଗା ନେଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ହୋଇଛି | ଏମିତିକି ସରକାରୀ ଜାଗାକୁ ବି ଛାଡ଼ୁନି ଏହି ଜମି ଖିଆ କମ୍ପାନୀ , ସରକାରୀ ଜାଗା ଯେଉଁଠି ଦେଖିଲେ ତାକୁ ମାଡି ବସି ଅକ୍ତିଆର କରିବା ସହ ସ୍ଥାନୀୟ କିଛି ଲୋକଙ୍କୁ ଧରି ଏଭଳି ମନାମାନୀ ଚଳାଉଥିବା ଦେଖିବାକୁ ମିଳିଛି | ଗୋଟିଏ ପଟେ ଅଂଚଳରେ ପ୍ରଦୂଷଣ ବଢିବା ସହ ଅନେକ ସ୍ଥାନରେ ଏହି ପ୍ରଦୂଷଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି | କିନ୍ତୁ କମ୍ପାନୀ ନିଜର ଲାଭ ପାଇଁ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା କୁହାଯାଉଛି |

ସରକାରୀ ନିୟମ ଅନୁସାରେ ସ୍ଥାନୀୟ ଅଂଚଳରେ ଯେଉଁଭଳି କାର୍ଯ୍ୟ କରାଯିବା କଥା ତାହା ହେଉନାହିଁ , ଭୂତଳ ଜଳସ୍ଥରକୁ ଅତ୍ୟଧିକ ବ୍ୟବହାର ଯୋଗୁଁ ଏବେ ଅଂଚଳରେ ଜଳସଂକଟ ଦେଖାଯାଉଥିବା ଅଭିଯୋଗ ହେଉଛି | କେବଳ ସେତିକି ନୁହେଁ ମାଇନ୍ସରୁ ବାହାରୁଥିବା ଧୁଆଂ ଓ ଡଷ୍ଟ ଯୋଗୁଁ ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପ୍ରଦୂଷଣ ପ୍ରଭାବରେ ଏବେ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳିଛି | ଜମି ଅଧିଗ୍ରହଣ ବେଳେ ଯେଉଁ ଚୁକ୍ତି କରାଯାଇଥିଲା ତାହାକୁ ପୂରଣ କରିବାରେ କମ୍ପାନୀ ବିଫଳ ହେଉଥିବା ଅଭିଯୋଗ ହେବା ସହ ଆଗକୁ କମ୍ପାନୀ ଯଦି ଏଭଳି ମନ ଇଛା କାମ କରେ ତେବେ ଏହା ଅଂଚଳ ପାଇଁ ଆହୁରି ବିପଦ ସୃଷ୍ଟି କରିବ |

ପିଲାଙ୍କୁ ଚାକିରୀ ଦେବାକୁ କହି ଅନ୍ୟ ରାଜ୍ୟର ପିଲାଙ୍କୁ ନିଯୁକ୍ତି ଦେଉଛି ଏହି କମ୍ପାନୀ | ହଜାର ହଜାର ଲୋକଙ୍କ ଜମି ନେଇ ଏଯାଏଁ ଜମି ବଦଳରେ ଟଙ୍କା ଦେବାର ନାଁ ଧରୁନି କମ୍ପାନୀ | ୨ ବର୍ଷ ତଳେ ଲୋକଙ୍କୁ ଯେଉଁ କଥା ଦେଇଥିଲା ସେ କଥା ରଖିବାରେ ସମ୍ପୂର୍ଣ ବିଫଳ ହୋଇଛି କମ୍ପାନୀ | ପ୍ରଶାସନ ସହ ମିଶି ଯେନେ ତେନେ ପ୍ରକାରେ ଜାଗା ନେଇଯିବାକୁ ଚାଲ କରୁଛି କମ୍ପାନୀ | ତେବେ ଢେଙ୍କାନାଳ ଜିଲା ଓ ଓଡାପଡା ଓ ହିନ୍ଦୋଳ ବ୍ଲକ ର ଅନେକ ଲୋକଙ୍କୁ ଠକି ଜମି ନେଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଲୋକଙ୍କ ଅଭିଯୋଗର କୌଣସି ସମାଧାନ ହୋଇପାରି ନାହିଁ | ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ସରକାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |