
ଯାଜପୁରର ରାଛିପୁର ଗାଁରେ ଧୁମଧାମରେ ପାଳିତ ହୋଇଛି ଗ୍ରହରାଜ ଶନିଦେବଙ୍କର ପବିତ୍ର ଜନ୍ମୋତ୍ସବ। ଗ୍ରହରାଜଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।ଏ ବର୍ଷ ୭୬ ବର୍ଷ ପୁରିଛି ଗତକାଲି ବିଳମ୍ବ ରାତି ଠୁଁ ବିଭିନ୍ନ ଆଡୁ ଛୁଟିଛି ଲୋକଙ୍କ ସୁଅ । ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶନିଶ୍ଚରଙ୍କ ଠାରେ ଜଳଲାଗି କରି ଗ୍ରହରାଜଙ୍କୁ ସନ୍ତୁଷ୍ଟ କରୁଛନ୍ତି। ସେପଟେ ମେଳାକୁ ଶ୍ରୁଙ୍ଖଳିତ କରିବାପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି ।
ପ୍ରତିବର୍ଷ ଅକ୍ଷୟ ତ୍ରୁତୀୟା ପର ଶନିବାର ପାଳିତ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ବ୍ୟାସନଗର ସହର ନିକଟସ୍ଥ ରାଛିପୁର ଗାଁର ଶନିଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ମନ୍ଦିର ପରିସରରେ ଭଜନ କିର୍ତ୍ତନ ସାଙ୍ଗକୁ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ । ପୂଜା ଏବଂ ଯଜ୍ଞ କାର୍ଯ୍ୟରେ ନିୟୋଜିତ ଅଛନ୍ତି ପୂଜକ ପୁରୋହିତ । ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଆସିଛି । ସେଥିଲାଗି ରାଛିପୁରର ଏହି ପ୍ରସିଦ୍ଧ ଶନିଶ୍ଚର ପୀଠରେ ଠାକୁରଙ୍କ ପଛପଟେ ଥିବା ଆମ୍ବଗଛରେ ଜଳାଭିଷେକ କରିଛନ୍ତି ସହସ୍ରାଧିକ ଶ୍ରଦ୍ଧାଳୁ । ଦିଅଁ ଦର୍ଶନ କରିବା ସାଙ୍ଗକୁ ଠାକୁରଙ୍କ ନିକଟରେ ଭୋଗ ଲଗାଇଥାନ୍ତି ଶ୍ରଦ୍ଧାଳୁ । ଏବର୍ଷ ପାଗ ଅନୁକୂଳ ଯୋଗୁଁ ଠାକୁରଙ୍କ ନିକଟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁ ମାନେ ହାତରେ ପସରା ଧରି ଲମ୍ବା ଧାଡିରେ ଛିଡା ହୋଇଥିବାର ଦୃଶ୍ୟ ଥିଲା ନିଆରା ।
ରାଛିପୁରର ଶନି ମହୋତ୍ସବକୁ ୭୭ ବର୍ଷ ଚାଲିଲା । ଏଠାକାର ଶନିଦେବତା ବେଶ୍ ପ୍ରତ୍ୟେକ୍ଷ ବୋଲି ଲୋକଙ୍କର ବିଶ୍ବାସ ରହିଛି । ସେଥିଲାଗି ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥିବାର ଲକ୍ଷ୍ୟ କରାଯାଇଛି । ଶ୍ରଦ୍ଧାଳୁ ମାନେ ଯେପରି ଶାନ୍ତିଶ୍ରୁଙ୍ଖଳାରେ ଠାକୁର ଦର୍ଶନ କରିବେ ସେଥିଲାଗି ମେଳା କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ମେଳା ପରିସରରେ ଲମ୍ବା ବାରିକେଟ ଠାରୁ ଆରମ୍ଭ କରି ବିଜୁଳି ପଙ୍ଖା ଓ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି । ମହିଳା ଓ ପୁରୁଷ ମାନେ ଅଲଗା ଅଲଗା ଧାଡିରେ ରହି ଗ୍ରହରାଜଙ୍କ ଦର୍ଶନ କରୁଛନ୍ତି । ଦର୍ଶନ ପରେ ମେଳା ବୁଲି ଘରକରଣା ଜିନିଷ କିଣୁଛନ୍ତି ଶ୍ରଦ୍ଧାଳୁ । ପ୍ରଚଣ୍ଡ ଖରା ଓ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦ୍ରୁଷ୍ଟିରେ ରଖି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳଛତ୍ର ଓ ସୂଚନା କେନ୍ଦ୍ର ମଧ୍ୟ ଖୋଲାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଯାଜପୁର ଜିଲ୍ଲାର ଅନ୍ୟ କେତେକ ସ୍ଥାନରେ ଶନିଶ୍ଚରଙ୍କ ମେଳା ପାଳିତ ହେଉଥିଲେ ହେଁ ରାଛିପୁରର ଶନି ମହୋତ୍ସବ ସ୍ବତନ୍ତ୍ର ଓ ନିଆରା ।