ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଏବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗୁଛି। ପାଞ୍ଜି ଅନୁଯାୟୀ ଅପରାହ୍ଣ ୩ଟା ୨୦ ମିନିଟ୍ରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣର ୯ ଘଣ୍ଟା ପୂର୍ବରୁ, ଅର୍ଥାତ ସକାଳ ୬ଟା ୨୦ ମିନିଟ୍ରୁ ପାକ ତ୍ୟାଗ (ହାଣ୍ଡିଛାଡ଼) ଆରମ୍ଭ ହୋଇଛି।

ସନ୍ଧ୍ୟା ୬ଟା ୪୭ ମିନିଟ୍ରେ ସର୍ବମୋକ୍ଷ ହେବ। ସୂର୍ଯ୍ୟୋଦୟରୁ ଗ୍ରହଣ ଶେଷ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ପାକତ୍ୟାଗ ସମୟରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଅନ୍ନ ଭୋଜନ ନିଷେଧ କରାଯାଇଛି। ପାଞ୍ଜିରେ ଏହି ସମୟରେ ହାଲୁକା ଓ ଶୁଖିଲା ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଗ୍ରହଣ ସମୟରେ ଖାଦ୍ୟ ରନ୍ଧା ନକରିବା, ପାକା ଖାଦ୍ୟ ଖାଇବା ନିଷେଧ ମନାଯାଏ। ବୃଦ୍ଧ, ରୋଗୀ ଓ ଶିଶୁମାନଙ୍କ ପାଇଁ କିଛି ଛାଡ଼ ରହିଥାଏ।
ଦୋଳପୂର୍ଣ୍ଣିମା ଦିନ ରାଧା-କୃଷ୍ଣଙ୍କ ଦୋଳଯାତ୍ରା, ଅବୀର ଖେଳ, ଭଜନ-କୀର୍ତ୍ତନ ଓ ପୂଜାରେ ପରିବେଶ ଭକ୍ତିମୟ ହୋଇଯାଏ। ଏହି ଦିନ ଗ୍ରହଣ ଲାଗିଥିବାରୁ ଉତ୍ସବରେ କିଛି ପରିବର୍ତ୍ତନ ହୋଇପାରେ। ଧାର୍ମିକ ଆସ୍ଥା ଅନୁଯାୟୀ ଗ୍ରହଣ ସମୟରେ ଜପ, ତପ ଓ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଗ୍ରହଣ ଶେଷରେ ସ୍ନାନ କରି ପୂଜା ଓ ଦାନ କରିବା ପାଇଁ ମଧ୍ୟ ପାଞ୍ଜିରେ ଉଲ୍ଲେଖ ରହିଛି।