ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଗତ ବର୍ଷ ନିଜର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବାର ଐତିହାସିକ ମୁହୂର୍ତ୍ତକୁ ଯେତିକି ଗର୍ବର ସହ ମନେ ରଖିଛି, ସେହି ଦିନ ଘଟିଥିବା ଦୁଃଖଦ ଘଟଣାକୁ ମଧ୍ୟ ସେତିକି ସମ୍ମାନର ସହ ସ୍ମରଣ କରୁଛି। ୪ ଜୁନ୍ ୨୦୨୫ରେ ବିଜୟ ଉତ୍ସବ ସମୟରେ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ହୋଇଥିବା ଦଳଚକଟାରେ ପ୍ରାଣ ହରାଇଥିବା ୧୧ ଜଣ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏଥର ଆଇପିଏଲ୍-୨୦୨୬ର ଉଦ୍ଘାଟନୀ ମ୍ୟାଚ୍ରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯିବ।

ଗତ ବର୍ଷ ଆର୍ସିବିର ପ୍ରଥମ ଆଇପିଏଲ୍ ବିଜୟ ପରେ ବେଙ୍ଗାଲୁରୁରେ ଆୟୋଜିତ ବିଜୟ ଶୋଭାଯାତ୍ରା ସମୟରେ ଏକ ଦୁଃଖଦ ଦଳଚକଟା ଘଟିଥିଲା। ଏଥିରେ ଜଣେ ୧୪ ବର୍ଷୀୟ କିଶୋରଙ୍କ ସମେତ ମୋଟ ୧୧ ଜଣ ପ୍ରଶଂସକ ନିଜର ଜୀବନ ହରାଇଥିଲେ। ସେମାନଙ୍କ ସ୍ମୃତିକୁ ସବୁଦିନ ପାଇଁ ଜୀବିତ ରଖିବା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ଏବଂ ଆର୍ସିବି ପକ୍ଷରୁ କିଛି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଷ୍ଟାଡିୟମ୍ର ଏକ ପ୍ରମୁଖ ଷ୍ଟାଣ୍ଡ୍ରେ ୧୧ଟି ସିଟ୍କୁ ସେହି ମୃତ ପ୍ରଶଂସକଙ୍କ ସ୍ମୃତିରେ ସବୁଦିନ ପାଇଁ ଖାଲି ରଖାଯିବ। ଏହି ସିଟ୍ଗୁଡ଼ିକର ଟିକେଟ୍ କେବେ ବି ବିକ୍ରି କରାଯିବ ନାହିଁ, ଏପରିକି କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ସମୟରେ ମଧ୍ୟ ଏହା ଖାଲି ରହିବ। ଚିନ୍ନାସ୍ୱାମୀ ଷ୍ଟାଡିୟମ୍ର ପ୍ରବେଶ ପଥରେ ଏକ ସ୍ମାରକୀ ଫଳକ ଲଗାଯିବ, ଯେଉଁଠାରେ ସେହି ପ୍ରଶଂସକମାନଙ୍କ ନାମ ଲିପିବଦ୍ଧ ରହିବ। ଏହା ଲିଭରପୁଲ୍ର ‘ହିଲ୍ସବରୋ ମେମୋରିଆଲ୍’ ଢାଞ୍ଚାରେ ନିର୍ମିତ ହେବ। ଶନିବାର ସନ୍ରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଖେଳାଳି ଏବଂ ପ୍ରଶଂସକ ଏକ ମିନିଟ୍ ନିରବ ପ୍ରାର୍ଥନା କରିବେ। ଅଭ୍ୟାସ ସମୟରେ ଆର୍ସିବି ଖେଳାଳିମାନେ ୧୧ ନମ୍ବର ଜର୍ସି ପିନ୍ଧିବେ ଏବଂ ମ୍ୟାଚ୍ ସମୟରେ କଳା ରଙ୍ଗର ଆର୍ମବ୍ୟାଣ୍ଡ ପିନ୍ଧି ଶୋକ ପ୍ରକାଶ କରିବେ।
ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ବର୍ତ୍ତମାନର କେଏସ୍ସିଏ ସଭାପତି ଭେଙ୍କଟେଶ ପ୍ରସାଦ କହିଛନ୍ତି ଯେ, ଏହି ଦୁଃଖଦ ଘଟଣାକୁ ମନେ ପକାଇବା ମଧ୍ୟ ଯନ୍ତ୍ରଣାଦାୟକ। କିନ୍ତୁ ସେହି ୧୧ ଜଣ ପ୍ରଶଂସକ ଆମ ପରିବାରର ଅଂଶ ଥିଲେ। ସେମାନଙ୍କ ପ୍ରତି ସମ୍ମାନ ଜଣାଇବା ଏବଂ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଆମେ ଏହି ପଦକ୍ଷେପ ନେଇଛୁ। ଏଥିସହିତ, ଷ୍ଟାଡିୟମ୍ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଆର୍ସିବି ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ କରି AI ଚାଳିତ ସିସିଟିଭି ସହ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି , ଯେପରି ଭବିଷ୍ୟତରେ ଏଭଳି ଦୁର୍ଘଟଣାର ପୁନରାବୃତ୍ତି ନହୁଏ।