ଜେରୁଜାଲେମରେ ଧାର୍ମିକ କଟକଣା: ଅଲ-ଆକସା ପରେ ଏବେ ଚର୍ଚ୍ଚକୁ ନେଇ ବିବାଦ, ଅସନ୍ତୁଷ୍ଟ ଖ୍ରୀଷ୍ଟିଆନ ସମ୍ପ୍ରଦାୟ

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଧାର୍ମିକ କ୍ଷେତ୍ରରେ ଉତ୍ତେଜନା ସୃଷ୍ଟି କରିଛି। ଅଲ-ଆକସା ମସଜିଦରେ କଟକଣା ପରେ, ପବିତ୍ର ସେପୁଲଚର ଚର୍ଚ୍ଚରେ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପାମ୍ ସଣ୍ଡେ ଅବସରରେ ଭଟିକାନର ବରିଷ୍ଠ କାର୍ଡିନାଲ ପିଅରବାଟିଷ୍ଟା ପିଜାବାଲ୍ଲାଙ୍କୁ ଇସ୍ରାଏଲ ପୁଲିସ ଚର୍ଚ୍ଚରେ ପ୍ରବେଶ କରିବାକୁ ଅଟକାଇଥିଲା। ଶତାବ୍ଦୀ ମଧ୍ୟରେ ଏହା ପ୍ରଥମ ଘଟଣା ଯେଉଁଠାରେ ଜଣେ ଏତେ ବଡ଼ ଧର୍ମଗୁରୁଙ୍କୁ ପ୍ରବେଶ ଅନୁମତି ମିଳିନଥିଲା।

ଏହି ଘଟଣା ଯୋଗୁଁ ଇଟାଲୀ ଏବଂ ଇସ୍ରାଏଲ ମଧ୍ୟରେ କୂଟନୈତିକ ବିବାଦ ଦେଖାଦେଇଛି। ଇଟାଲୀ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ଏହି ପ୍ରସଙ୍ଗରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଛନ୍ତି। ବିବାଦ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି କାର୍ଡିନାଲଙ୍କୁ ଅନୁମତି ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ, ଇରାନର ଆକ୍ରମଣ ଆଶଙ୍କା ଏବଂ ସୁରକ୍ଷା କାରଣରୁ ‘ହୋମ୍ ଫ୍ରଣ୍ଟ୍ କମାଣ୍ଡ’ ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନରେ ଜନସମାଗମ ଉପରେ କଟକଣା ଲଗାଯାଇଛି। ଚର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, କାର୍ଡିନାଲ ପିଜାବାଲ୍ଲା କୌଣସି ବଡ଼ ଶୋଭାଯାତ୍ରା ନୁହେଁ ବରଂ ବ୍ୟକ୍ତିଗତ ଭାବେ ପ୍ରାର୍ଥନା ପାଇଁ ଯାଉଥିଲେ। ପବିତ୍ର ସ୍ଥଳରେ ଏଭଳି କଟକଣାକୁ ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ନିନ୍ଦା କରିବା ସହ ଏହାକୁ ଧାର୍ମିକ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ଯଦିଓ ସୁରକ୍ଷା ଦୃଷ୍ଟିରୁ ଇହୂଦୀ, ମୁସଲମାନ ଏବଂ ଖ୍ରୀଷ୍ଟିଆନ ସମସ୍ତଙ୍କ ପାଇଁ ନିୟମ ସମାନ ବୋଲି ଇସ୍ରାଏଲ ଦାବି କରୁଛି, ତଥାପି ଏହି ଘଟଣା ନେତାନ୍ୟାହୁ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି।