ଜମିଜମା ବିବାଦରେ ହାଇକୋର୍ଟ ଅଧିବକ୍ତାଙ୍କୁ ମରଣାନ୍ତକ ଆକ୍ରମଣ

() ରେମୁଣା ଥାନା ଅନ୍ତର୍ଗତ ମୁଖରା ଗାଁରେ ହାଇକୋର୍ଟ ଓକିଲ ତଥା ଭାରତ ସରକାରଙ୍କ ନୋଟାରୀ ପ୍ରବୀର କୁମାର ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗତ ରବିବାର ଦିନ ପ୍ରବୀର ଜେନାବରାଇ ମୌଜା ଅନ୍ତର୍ଗତ କମଳା ପୋଖରୀ ପାଖରେ ନିଜ ଜମିରେ ବାଉଁଶ ବୁଦା ସଫା କରାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି। ଉକ୍ତ ଗାଁର ଜୟଚନ୍ଦ୍ର ବେହେରା ଓରଫ ବାଙ୍ଗରା ଏବଂ ତାଙ୍କ ପୁଅ ସଞ୍ଜୟ ବେହେରା ଓରଫ ବାଣ୍ଠୁ ଶ୍ରୀ ଦାସଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଛନ୍ତି । ଆକ୍ରମଣ ଫଳରେ ପ୍ରବୀରଙ୍କ ଜଙ୍ଘ ଏବଂ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ବାଣ୍ଠୁ-ବାଙ୍ଗରା ଜୋଡ଼ିଙ୍କ ପୂର୍ବରୁ ମଧ୍ୟ ଏଭଳି ଅନେକ ଅପରାଧୀକ କାର୍ଯ୍ୟକଳାପର ନଜର ରହିଛି। ଜମିଜମା ମାମଲାରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ପୂର୍ବରୁ ବାଙ୍ଗରା ଜେଲ୍ ମଧ୍ୟ ଯାଇସାରିଛି। ସୂଚନାଯୋଗ୍ୟ ଯେ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ଦସ ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ବାପା ଗଙ୍ଗାଧର ଦାସଙ୍କ ଦେହାନ୍ତ ପରେ ସେ ନିଜ ଗାଁରେ ଥିବା ଜମିଜମା ବୁାଝାବୁଝି କରିବା ପାଇଁ ଯାଇଥିଲେ। କଣ୍ଟା ବାଉଁଶ ବୁଦା ଗୁଡ଼ିକ ଫସଲ ନଷ୍ଟ କରିୁଥିବା କାରଣରୁ ସେ ଲୋକ ଲଗାଇ କଟର ସାହାଯ୍ୟରେ ସେଗୁଡ଼ିକ କଟାକଟି କରୁଥିଲେ। ଏହି ସମୟରେ ହଠାତ ଉତ୍ୟକ୍ତ ହୋଇ ବାଣ୍ଠୁ-ବାଙ୍ଗରା ବାପ ପୁଅ ତାଙ୍କ ଉପରକୁ କୋଦାଳ ଏବଂ ବାଉଁଶ ମୂଳୀ ସହାୟତାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଘଟଣା ପରେ ଶ୍ରୀ ଦାସ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶ୍ରୀ ଦାସ ଜଣେ ବରିଷ୍ଠ ଆଇନଜୀବୀ ହେବା ସହ ଭୁବନେଶ୍ୱରରୁ ପ୍ରକାଶିତ ଏକ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଅଛନ୍ତି । ଅନ୍ୟପଟେ ଏଭଳି ଏକ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।