ବାଲେଶ୍ବର/ବାଲିଆପାଳ : ଜଗତର ନାଥ ଶ୍ରୀଜଗନ୍ନାଥ, ଯିଏ କି ଭାବର ଡୋରରେ ଭକତଙ୍କ ସହ ବନ୍ଧା, କାଇଁ କେତେ ଦୂରରୁ ଧାଇଁ ଆସନ୍ତି ଲୋକେ, ସେହି ଚକା ନୟନକୁ ଦେଖିବା ପାଇଁ, ଆଉ ଯିଏ ଥରେ ସେହି ଚକାନୟନକୁ ଦେଖେ ଆଖି ଫେରେଇ ପାରେ ନାହିଁ, ଭକତକୁ କେତେବେଳେ କେଉଁ ରୂପରେ ଦର୍ଶନ ଦେବେ ସେ କଥା ତାଙ୍କୁ ହିଁ ଜଣା, ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ନ ଥିବା ଭକ୍ତଙ୍କ ପାଇଁ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମୁତକୁଲା ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ମହାପ୍ରଭୁ ଜଗନ୍ନାଥଙ୍କ ୩୨ ବେଶ ଦର୍ଶନ କରିବା ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ |
୧୧ ଦିନର ଲୀଳାଖେଳା, ମହାପ୍ରଭୁଙ୍କ ଦୂର୍ଲଭ ବତ୍ରିଶ ବେଶ ସାଙ୍ଗକୁ ଶ୍ରୀମନ୍ଦିର ଭଳି ଚାଲିଛି ନିତୀକାନ୍ତି, ମହାପ୍ରଭୁଙ୍କ ସୁନା ବେଶ ସହିତ ୩୨ ଟି ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଜଗନ୍ନାଥ, ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ସମସ୍ତ ବେଶକୁ ଗୋଟିଏ ସ୍ଥାନରେ ଦର୍ଶନ କରି ମହାପ୍ରଭୁଙ୍କ କୃପାଲାଭ କରୁଛନ୍ତି |
୫୦ ଜଣ ପଣ୍ତିତଙ୍କ ଦ୍ବାରା ବେଦପାଠ ସାଙ୍ଗକୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପୂଜାର୍ଚ୍ଚନା | ସ୍ଥାନୀୟ ଅଞ୍ଚଳ ସମେତ ବସ୍ତା ,ବାଲିଆପାଳ,ଜଳେଶ୍ୱର, ପଡୋଶୀ ମୟୁରଭଞ୍ଜ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଅଞ୍ଚଳରୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସୁଛନ୍ତି |
ଜାମୁତକୁଲା ଗ୍ରାମରେ ଆୟୋଜିତ ଏହି 32 ବେଶ କାର୍ଯ୍ୟକ୍ରମ ଫେବୃୟାରୀ 4 ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ | ବିଶେଷ ଆକର୍ଷଣ ଭାବରେ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ 56 ମାଦଳ ଅନୁଷ୍ଠିତ ହେବ | ଶେଷ ଦିନରେ 30 ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାରର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି |