ଛାତ୍ର ଆତ୍ମହତ୍ୟା ମାମଲା,KIIT କୁ ବଡ଼ ଝଟକା

କିଟ୍ (KIIT) ବିଶ୍ୱବିଦ୍ୟାଳୟ ପରିସରରେ ବାରମ୍ବାର ଛାତ୍ର ଆତ୍ମହତ୍ୟା ମାମଲାକୁ ନେଇ ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱରର KIIT ବିଶ୍ୱବିଦ୍ୟାଳୟକୁ ଏକ ବଡ଼ ଝଟକା ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଖାରଜ କରିବାକୁ କୋର୍ଟ ସ୍ପଷ୍ଟ ମନା କରିଦେଇଛନ୍ତି ଏବଂ ତଦନ୍ତକୁ କୌଣସି ପରିସ୍ଥିତିରେ ଅବରୋଧ କରାଯାଇପାରିବ ନାହିଁ।

ଗତ ୧୨ତାରିଖରେ ବିଚାରପତି ସଂଜୀବ ପାଣିଗ୍ରାହୀ ଜାରି କରିଥିବା ନୋଟିସରେ କ୍ରମିକ ନମ୍ବର ୪ ରେ ଦର୍ଶାଯାଇଛି ଯେ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଟ୍ କୁ ସେପ୍ଟେମ୍ବର ୯ ତାରିଖରେ ସୋ-କଜ ନୋଟିସ ହୋଇଥିଲା। ଯେଉଁଥିରେ କିଟ୍ ରେ କେତୋଟି ନିୟମର ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଛି।

ଯେଉଁଗୁଡିକ ହେଲା- କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା। ମାନସିକ ଚାପରେ ଥିବା ଛାତ୍ରଛାତ୍ରୀଙ୍କୁ କାଉନସେଲିଂ ପାଇଁ ସଠିକ ବ୍ୟବସ୍ଥା ନଥିବା। ହଷ୍ଟେଲର ଅଭାବ। ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସମସ୍ୟା ସଠିକ ଢଙ୍ଗରେ ପରିଚାଳନା ନହେବା। ସୁରକ୍ଷା କର୍ମୀଙ୍କ ଦ୍ୱାରା ବଳ ପ୍ରୟୋଗ କରାଯିବା ଇତ୍ୟାଦି। ଏହା ପୁନରାବୃତ୍ତି କିପରି ନ ହେବ ତାହା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ଉପରେ ତଦନ୍ତ ରିପୋର୍ଟ୍ ଦେବାପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହ ଯାଇଥିଲା। କିନ୍ତୁ ସେହି ନୋଟିସ କୁ ଚ୍ୟାଲେଞ୍ଜ କରି କିଟ୍ ଯାଇଥିଲା ହାଇକୋର୍ଟ। ତାହା ପରେ କୋର୍ଟ କାରଣ ଦର୍ଶାଅ ନୋଟିସକୁ ଖାରଜ କରିବାକୁ କୋର୍ଟ ସ୍ପଷ୍ଟ ମନା କରିଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଛାତ୍ର ଆତ୍ମହତ୍ୟା ଏକ ଅତ୍ୟନ୍ତ ଗମ୍ଭୀର ଚିନ୍ତାର ବିଷୟ। ଏପରି ଘଟଣାରେ କେବଳ ପ୍ରଶାସନିକ ନୁହେଁ, ଶିକ୍ଷାନୁଷ୍ଠାନର ନୈତିକ ଓ ସାମାଜିକ ଦାୟିତ୍ୱ ମଧ୍ୟ ରହିଥାଏ। ଏହିକାରଣରୁ ଘଟଣା ସହିତ ସଂପୃକ୍ତ ସମସ୍ତ ପ୍ରସଙ୍ଗର ନିର୍ପେକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ ଅତ୍ୟାବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟାକୁ ଥମାଇବା କିମ୍ବା ଆଦାଲତର ହସ୍ତକ୍ଷେପ ମାଧ୍ୟମରେ ମାମଲାକୁ ପ୍ରଭାବିତ କରିବା ପାଇଁ ଦାଖଲ ହୋଇଥିବା ଅର୍ଜି ଗ୍ରହଣଯୋଗ୍ୟ ନୁହେଁ। ଆଇନ ଆଗରେ ସମସ୍ତେ ସମାନ ଏବଂ ନ୍ୟାୟ ପ୍ରକ୍ରିୟା ସ୍ୱଚ୍ଛ ଭାବରେ ଆଗକୁ ବଢ଼ିବା ଦରକାର ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି।

କୋର୍ଟର ଏହି ଆଦେଶ ପରେ ଛାତ୍ର ଆତ୍ମହତ୍ୟା ଘଟଣାର ତଦନ୍ତ ଆହୁରି ଗତି ପାଇବାର ସମ୍ଭାବନା ରହିଛି। ସେହିପରି, ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମାନସିକ ସ୍ୱାସ୍ଥ୍ୟ ସହାୟତା, କାଉନସେଲିଂ ବ୍ୟବସ୍ଥା ଓ ପ୍ରଶାସନିକ ଦାୟିତ୍ୱକୁ ନେଇ ପୁଣିଥରେ ରାଜ୍ୟସ୍ତରରେ ଚର୍ଚ୍ଚା ତେଜ ହୋଇଛି।

ଏହି ମାମଲାରେ ହାଇକୋର୍ଟଙ୍କ ରାୟକୁ ଏକ ଗୁରୁତ୍ୱପୂର୍ଣ୍ଣ ନଜିର ବୋଲି ଆଇନଜୀବୀ ଓ ସାମାଜିକ ସଂଗଠନମାନେ ମତ ପ୍ରକାଶ କରିଛନ୍ତି, ଯାହା ଆଗାମୀ ଦିନରେ ଛାତ୍ର ସୁରକ୍ଷା ସଂପର୍କିତ ମାମଲାରେ ପ୍ରଭାବ ପକାଇପାରେ।