ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ମଧ୍ୟରେ ଯୋଗାଯାଗ ସ୍ଥାପନ

ଆଜି ସଂଧ୍ୟାରେ ଚନ୍ଦ୍ରଯାନ ୩ ଜହ୍ନରେ ପାଦ ଥାପିବ । ଇସ୍ରୋ ଦ୍ୱାରା ପ୍ରେରିତ ଯାନ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଜହ୍ନରେ ପାଦ ଥାପିବାକୁ ଆଗେଇ ଯାଉଛି। ଏପରି ସ୍ଥିତିରେ ଆଉ ଏକ ଖୁସି ଖବର। ବିଫଳ ଅଭିଯାନ କୁହାଯାଉଥିବା ଚନ୍ଦ୍ରଯାନ ୨ ଏବେ ଚନ୍ଦ୍ରଯାନ ୩ ମଧ୍ୟରେ ସ୍ଥାପିତ କରିଛି ଯୋଗାଯୋଗ। ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ସହ ସ୍ଥାପନ କରିଛି ସମ୍ପର୍କ। ଏସମ୍ପର୍କରେ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏଥିରେ ଉଲ୍ଳେଖ ରହିଛି କି, ଉଭୟ ଯାନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ ହୋଇଛି।

ପ୍ରଥମ ଥର ପାଇଁ ଚନ୍ଦ୍ରଯାନ୨ର ଅର୍ବିଟର ସହ ଚନ୍ଦ୍ରଯାନ୩ର ଲ୍ୟାଣ୍ଡର ମଧ୍ୟରେ ସମ୍ଭବ ହୋଇଛି ଯୋଗାଯୋଗ । ପୂର୍ବ ଚନ୍ଦ୍ରମିଶନ ବିଫଳ ହୋଇଥିଲେ ମଧ୍ୟ ଚନ୍ଦ୍ରଯାନ ୨ର ଅର୍ବିଟର ସେଠାରେ ଚନ୍ଦ୍ରର ପରିକ୍ରମା କରୁଛି ଓ ଲଗାତର ଇସ୍ରୋ ସହ ସମ୍ପର୍କରେ ରହିଛି। ଏବେ ଚନ୍ଦ୍ରଯାନ ୩ ସହ ସମ୍ପର୍କ ସାଧିବାରେ ସଫଳ ହୋଇଛି, ଯାହା ଇସ୍ରୋ ପାଇଁ ଏକ ବଡ ସଫଳତା। ସେହି ଅର୍ବିଟରକୁ ଦୃଷ୍ଟିରେ ରଖି ଇସ୍ରୋ ଚଳିତ ମିଶନରେ କୌଣସି ଭାରି ଅର୍ବିଟର ଚନ୍ଦ୍ରକୁ ପଠାଇନି। ଅର୍ବିଟର ନ ପଠାଇ ଯାନକୁ ହାଲୁକା କରିବା ସହ ଲ୍ୟାଣ୍ଡରେ ଆଣିଛି କିଛି ପରିବର୍ତ୍ତନ । ଏହାର ସପ୍ଟ ଲ୍ୟାଣ୍ଡିଂ ପାଇଁ ଲ୍ୟାଣ୍ଡରକୁ କରିଛି ଅଧିକ ମଜଭୁତ ।

ଅନ୍ୟପଟେ ଲ୍ୟାଣ୍ଡିଂ ସମ୍ପର୍କରେ ଯେଉଁ ତଥ୍ୟର ଆବଶ୍ୟକତା ରହିଛି ତାହା ପୂର୍ବ ଅର୍ବିଟର ଚନ୍ଦ୍ର ଚାରିପଟେ ବୁଲି ଇସ୍ରୋକୁ ପଠାଉଛି। ଏବେ ଉଭୟଙ୍କ ଭିତରେ ସମ୍ପର୍କ ସ୍ଥାପନ ଦ୍ୱାରା ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ସଙ୍ଗେ ସଙ୍ଗେ ଚନ୍ଦ୍ରଯାନ ୨ର ଅର୍ବିଟରକୁ ତଥ୍ୟ ପଠାଇବ, ଯାହାକୁ ଚନ୍ଦ୍ରଯାନ ୨ ଇସ୍ରୋକୁ ପଠାଇବ। ଅବଶ୍ୟ ଚନ୍ଦ୍ରଯାନ୩ର ରୋଭର ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡରରୁ ଅଲଗା ହୋଇ ତଥ୍ୟ ଇସ୍ରୋକୁ ପଠାଇବ, ହେଲେ ତାହା ସେତିକି ଫଳପ୍ରଦ ହେବ ନାହିଁ ଯେତିକି ପୂର୍ବ ଅର୍ବିଟର ଦ୍ୱାରା ସମ୍ଭବ ହେବ।

ତେଣୁ ଇସ୍ରୋର ୨ୟ ଚନ୍ଦ୍ର ମିଶନ ବିଫଳ ହୋଇନାହିଁ, ବରଂ ଚନ୍ଦ୍ରଯାନ୩ ଆଗକୁ ଯିବାରେ ହୋଇଛି ସହାୟକ। ଇସ୍ରୋର ଏହି କୌଶଳ ଏବେ ମହାକାଶ ଗବେଷକଙ୍କ ମଧ୍ୟରେ ସୃଷ୍ଟି କରିଛି ଚର୍ଚ୍ଚା। ‘ଯୁଗାଡ’ରେ ଭାରତ ସବୁ କ୍ଷେତ୍ରରେ ଆଗୁଆ ଏହା ଇସ୍ରୋ ଦେଖାଇ ଦେଉଛି।

Leave a Reply

Your email address will not be published. Required fields are marked *