ଡୁଙ୍ଗୁରିପାଲିସ୍ଥିତ ଏକ ଘରୋଇ ନର୍ସିଂହୋମରେ ପ୍ରସୂତୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ତାଙ୍କର ମୃତ୍ଯୁ ହୋଇଛି | ଏନେଇ ମୃତ ପ୍ରସୂତୀଙ୍କ ସ୍ବାମୀ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଗତ ୧୯ତାରିଖ ସକାଳେ ପ୍ରସୂତୀ ମୀରାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଚିକିତ୍ସା ପାଇଁ ମୀରାଙ୍କୁ ଡୁଙ୍ଗୁରିପାଲି ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ପ୍ରବଳ ଯନ୍ତ୍ରଣା ହେବାରୁ ଶୀଘ୍ର ଚିକିତ୍ସା ପାଇଁ ଏକ ଅଜଣା ବ୍ୟକ୍ତି ଉକ୍ତ ଘରୋଇ ନସିଂହୋମକୁ ନେବାକୁ ପରାମର୍ଶ ଦେଇଥିଲେ । ସ୍ବାମୀ ସୁଶୀଳ ଉକ୍ତ ନସିଂହୋମ ସହ ଯୋଗାଯୋଗ କରିଥିଲେ । ନସିଂହୋମରେ ପ୍ରାୟ ୩୦ ହଜାର ଟଙ୍କାରେ ଚିକିତ୍ସା ହୋଇଯିବ ବୋଲି କୁଆଡେ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ସୁଶୀଳ ତାଙ୍କ ପତ୍ନୀ ମୀରାଙ୍କୁ ନସିଂହୋମକୁ ସ୍ଥାନାନ୍ତର କରିଥିଲେ। ସେଠାରେ କୌଣସି ଡାକ୍ତର ନଥିବାବେଳେ ଦୁଇଜଣ ନର୍ସ ତାଙ୍କୁ ପ୍ରସବ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମୀରା ଏକ ଶିଶୁ ପୁତ୍ରକୁ ଜନ୍ମ ଦେବାପରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ରକ୍ତସ୍ରାବ ବନ୍ଦ ନହେବାରୁ ତାଙ୍କୁ ବରଗଡ଼ସ୍ଥିତ ଉକ୍ତ ନସିଂହୋମର ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ମଧ୍ୟ କୌଣସି ପ୍ରସୂତୀ ଡାକ୍ତର ନଥିବାରୁ ଅନ୍ୟଏକ ଡାକ୍ତରଖାନାରୁ ଡାକ୍ତରଙ୍କୁ ଡକାଯାଇ ଚିକିତ୍ସା କରାଯାଇଥିଲା ବୋଲି ତାଙ୍କ ସ୍ବାମୀ ସୁଶୀଳ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ସେଠାରେ ମଧ୍ୟ ରକ୍ତସ୍ରାବ ବନ୍ଦ ହେବାରୁ ମୀରାଙ୍କୁ ପୁଣି ଅନ୍ୟ ଏକ ଘରୋଇ ନସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମୀରାଙ୍କ ମୃତ୍ୟୁ ଘଟିଥିଲା । ଏସଂପର୍କରେ ନସିଂହୋମକୁ ଯାଇ ପ୍ରତିକ୍ରିୟା ନିଆଯିବାରୁ ପ୍ରସୂତୀ ଜଣକ ପହଞ୍ଚିବା ବେଳକୁ ଗୁରୁତର ଥିଲେ, ପ୍ରସବ ପରେ ତାଙ୍କୁ ବରଗଡ଼ ପଠାଇ ଦିଆଯାଇଥିଲା ବୋଲି ସୂଚନା ଦେଇଥିଲେ। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି ।