ଦୀର୍ଘ ୧୨ ବର୍ଷରେ ମାତ୍ର ୨୪ ଥର ଖୋଲା ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର। ତାହା ପୁଣି ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ତାରିଖ ପାଇଁ। ବର୍ଷ ବର୍ଷ ଧରି ଅଙ୍ଗନୱାଡ଼ି ଦିଦି ଶିଶୁ, କିଶୋରୀ ଓ ଗର୍ଭବତୀ ମହିଳାଙ୍କ ଯୋଜନାର ଲାଭକୁ ହଡ଼ପ କରି ଚାଲିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ପଦକ୍ଷେପ ନ ନେବାରୁ ଗ୍ରାମର ମହିଳା ଏକାଠି ଆନ୍ଦୋଳନକୁ ଓହ୍ଲାଇବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନୂଆଗଡ ପଞ୍ଚାୟତର ବିଜୟଚନ୍ଦ୍ରପୁର ଗ୍ରାମରେ ଗତ ୧୨ ବର୍ଷ ତଳେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ଏଥିରେ ନିଯୁକ୍ତ ଅଙ୍ଗନୱାଡ଼ି ଦିଦି ସେହି ଦିନଠାରୁ କେବଳ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ଦୁଇ ଦିନକୁ ଛାଡ଼ିଦେଇ କେବେବି ଅଙ୍ଗନବାଡ଼ି କେନ୍ଦ୍ର ଖୋଲନ୍ତି ନାହିଁ। ଏପରିକି ଛୋଟ ଶିଶୁ , କିଶୋରୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ସମସ୍ତ ସାମଗ୍ରୀକୁ ୩ ରୁ ୪ ମାସକୁ ଥରେ ଲେଖାଏଁ ଦେଇ ଥାଆନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୈାଣସି ସୁଫଳ ମିଳି ନଥିବାରୁ ଗତ ୪ ଦିନ ତଳେ ୫୦ରୁ ଉର୍ଦ୍ଧ୍ୱ ମହିଳା ବ୍ଲକ୍ ଓ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କୁ ଭେଟି ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ଏବେ ଗତ ତିନିଦିନ ହେଲା ଉକ୍ତ ଅଙ୍ଗନୱାଡ଼ି କର୍ମୀ ଘର ଖୋଲି ବସୁଛନ୍ତି । ଯାହାକୁ ଗ୍ରାମର ମହିଳାମାନେ ବିରୋଧ କରିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ଉକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଏଠାରୁ ହଟାଯାଉ ନଚେତ ଏହି କେନ୍ଦ୍ରକୁ ଏଠାରୁ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି।