କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଗସ୍ତ ଆରମ୍ଭ

କେନ୍ଦୁଝର, ୧୧ ଏପ୍ରିଲ: ଆଜିଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କର ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ। ପ୍ରଥମ ଦିନରେ ସେ ବିଭିନ୍ନ ଧାର୍ମିକ, ଶିକ୍ଷାମୂଳକ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟସ୍ତ ସମୟ କାଟିଥିଲେ। ଆଜି ସକାଳ ସାଢେ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର୍ ଯୋଗେ କେନ୍ଦୁଝର ସହର ନିକଟ ବେଦାପଳସା ଫୁଟବଲ୍ ପଡ଼ିଆରେ ପହଞ୍ଚିଥିଲେ। ପରେ ସେ ବେଦାପଳସା ଚନ୍ଦ୍ରଶେଖର ମନ୍ଦିରକୁ ଯାଇଥିବାବେଳେ ମନ୍ଦିର କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ସେଠାରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ନିକଟରେ ରୁଦ୍ରାଭିଷେକ ପୂଜା କରି ରାଜ୍ୟର ସୁକଳ୍ୟାଣ କାମନା କରିଥିଲେ।

ତାପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଫଳକ ଉନ୍ମୋଚନ କରିଥିଲେ। ପରବର୍ତ୍ତୀତ ସେ ବେଦାପଳସା ଅରଡ଼େଇ ପୋଲର ଶୁଭ ଉଦଘାଟନ କରି ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁବିଧାଜନକ କରିବାକୁ ଗୁରୁତ୍ୱ ଦେଇଥିଲେ।ଏହାପରେ ସେ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ଯୋଗଦେଇଥିଲେ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପରେ ସେ ସଡ଼କ ପଥରେ କେନ୍ଦୁଝର Circuit House କୁ ପହଞ୍ଚିଥିଲେ।

ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ସେ ରିଜର୍ଭ ପୋଲିସ ପଡ଼ିଆରୁ ହେଲିକ୍ୟାପ୍ଟରରେ ବାହାରି ଢେଙ୍କିକୋଟ ରଥ ପଡ଼ିଆରେ ପହଞ୍ଚିବେ ଓ ଲଙ୍ଗଳକଣ୍ଟି ଅଣ୍ଡରପାସ୍ ଉଦଘାଟନୀ ଉତ୍ସବରେ ଯୋଗଦେବେ।ତାପରେ ପୁନର୍ବାର ହେଲିକ୍ୟାପ୍ଟରରେ ଫେରି କେନ୍ଦୁଝର ଆସି ସରକାରୀ ଇଞ୍ଜିନିୟରିଂ କଲେଜର ସିଲଭର ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟା ୭ଟା ୧୫ ମିନିଟରେ ସେ କେନ୍ଦୁଝର ଷ୍ଟାଡିୟମ୍‌ରେ ୧୧ତମ ସୁଭାଶିଷ ମେମୋରିଆଲ୍ ଫାଇନାଲ୍ କ୍ରିକେଟ୍ ମ୍ୟାଚ୍‌ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦିନଭରି ବ୍ୟସ୍ତ କାର୍ଯ୍ୟସୂଚୀ ପରେ ସେ ରାତି ୮ଟା ୨୫ ମିନିଟରେ Circuit House ରେ ରାତ୍ରୀଯାପନ କରିବେ।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ କେନ୍ଦୁଝର ଜିଲ୍ଲାରେ ଉତ୍ସାହ ଓ ଉତ୍ସୁକତା ଦେଖାଯାଉଛି।