କର୍ଣ୍ଣାଟକରେ ବଲାଙ୍ଗୀରର ଦାଦନ ଶ୍ରମିକ ନିଖୋଜ: ପୁଅକୁ ଫେରାଇ ଆଣିବାକୁ ମା’ଙ୍କ କାକୁତି

ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ବାଙ୍କୀ ଗାଁର ଅଭିନାଶ ଜଗତ ନାମକ ଜଣେ ଯୁବକ କର୍ଣ୍ଣାଟକରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡ଼ିଥିବା ବେଳେ ପୋଲିସର ସହାୟତା ଲୋଡ଼ିଛନ୍ତି। ପ୍ରାୟ ଦୁଇ ମାସ ତଳେ ଗାଁର ଜଣେ ଦାଦନ ସର୍ଦ୍ଦାର ଅଭିନାଶ ଓ ଅନ୍ୟ ଶ୍ରମିକମାନଙ୍କୁ କାମ କରିବା ପାଇଁ କର୍ଣ୍ଣାଟକର ଇଚ୍ଛାପୁରକୁ ବେଆଇନ ଭାବେ ଚାଲାଣ କରିଥିଲା। ଗତ ସପ୍ତାହରେ ଅଭିନାଶ ଘରକୁ ଫେରିବା ପାଇଁ ଯଶବନ୍ତପୁର ରେଳବାଇ ଷ୍ଟେସନରେ ପହଞ୍ଚିଥିଲେ।

ଟ୍ରେନ୍ ଆସିବା ପୂର୍ବରୁ ସେଠାରେ କିଛି ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ଅଭିନାଶଙ୍କ ସହ ଥିବା ଅନ୍ୟ ଜଣେ ଶ୍ରମିକଙ୍କୁ ମାଡ଼ ମାରି ଲୁଟପାଟ କରିଥିଲେ, ଯାହା ପରେ ଅଭିନାଶ ସେଠାରୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଗତ ୭ ଦିନ ହେଲା ଅଭିନାଶଙ୍କର କୌଣସି ପତ୍ତା ମିଳୁନାହିଁ। ଯଦିଓ ସେଠାକାର ଜିଆରପି (GRP) ଥାନାରେ ଅଭିଯୋଗ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଶେଷରେ ନିରୁପାୟ ହୋଇ ଅଭିନାଶଙ୍କ ମା’ ଶୋଭାଗିନୀ ଜଗତ ଓ ପରିବାର ବର୍ଗ ଆଜି ତୁରେକେଲା ଥାନାରେ ପହଞ୍ଚି ପୁଅକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି।