
ଆଉଟର ରିଙ୍ଗ୍ରୋଡ୍, ରାଜ୍ୟ ରାଜପଥ ୪ ଲେନ୍କରଣ ନେଇ ସରକାରଙ୍କ ନିର୍ଦ୍ଦେଶ | କଟକ ସହରରେ ଦିନକୁ ଦିନ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି | ଭୁବନେଶ୍ୱର ସହରର ପରିବର୍ଦ୍ଧିତ ଉନ୍ନୟନ ଯୋଜନା ପରି କଟକ ସହର ପାଇଁ ଆଉଟର ରିଙ୍ଗ୍ରୋଡ୍ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି।
ଏଥିସହ କଟକ ଓ ସମ୍ବଲପୁର ଜାତୀୟ ରାଜପଥ ୫୫ କୁ ୬ ଲେନ୍ କରିବା ନେଇ ସର୍ଭେ କରାଯିବ। ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ପର୍ଯ୍ୟାୟକ୍ରମେ ୪ ଲେନ୍ କରିବା ପାଇଁ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି | ରାଜ୍ୟର ପ୍ରତ୍ୟେକ ଅଞ୍ଚଳ ଓ ସହର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଲେ ମାତ୍ର ଆର୍ଥିକ ଓ ସାମାଜିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି | ସେଥିପାଇଁ ପ୍ରସ୍ତାବିତ ସମସ୍ତ ପ୍ରକଳ୍ପର ନିର୍ମାଣ-ପୂର୍ବ କାର୍ଯ୍ୟକଳାପ ଓ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଅଧିକାରୀମାନଙ୍କୁ କଠୋର ନିର୍ଦ୍ଦେଶ ଦିଆଯାଇଛି।