ଇସ୍ରାଏଲ-ଲେବାନନ୍‌ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି ଘୋଷଣା

ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆମେରିକାର ମଧ୍ୟସ୍ଥତାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଲେବାନନ୍‌ ରାଷ୍ଟ୍ରପତି ଯୋଶେଫ ଆଉନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ଯୁଦ୍ଧବିରତି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ସମୟ ଅନୁସାରେ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରି ୨ଟା ୩୦ ମିନିଟ୍‌ରୁ ଏହା କାର୍ଯ୍ୟକାରୀ ହୋଇଛି।

ପ୍ରାଥମିକ ଭାବେ ଏହି ଯୁଦ୍ଧବିରତି ୧୦ ଦିନ ପାଇଁ ଲାଗୁ କରାଯାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ପାକିସ୍ତାନରେ ପୁଣି ଥରେ ଶାନ୍ତି ଆଲୋଚନା ଆରମ୍ଭ ହେବାର ସମ୍ଭାବନା ରହିଛି। ଇରାନ ପକ୍ଷରୁ ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦକୁ ଶାନ୍ତି ପାଇଁ ଏକ ପ୍ରମୁଖ ସର୍ତ୍ତ ରଖାଯାଇଥିଲା। ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନ୍‌ର ବିଭିନ୍ନ ଗ୍ରାମ ଉପରେ ବିକ୍ଷିପ୍ତ ଗୁଳିବର୍ଷଣ କରିଥିବା ଅଭିଯୋଗ ହୋଇଛି। ଲେବାନନ୍‌ ସେନା ପକ୍ଷରୁ ‘ଏକ୍ସ’ (X) ରେ କୁହାଯାଇଛି ଯେ, ଯୁଦ୍ଧବିରତି ଉଲ୍ଲଂଘନ ହେବାର ଅନେକ ପ୍ରମାଣ ସେମାନଙ୍କ ପାଖରେ ରହିଛି। ଦକ୍ଷିଣ ଲେବାନନ୍‌ର ସ୍ଥିତି ଏବେ ବି ବିପଜ୍ଜନକ ଥିବାରୁ ସେନା ଲୋକମାନଙ୍କୁ ନିଜ ଗାଁକୁ ନ ଫେରିବା ପାଇଁ ଏବଂ ରାତି ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି। ଯଦିଓ ୧୦ ଦିନିଆ ଯୁଦ୍ଧବିରତି ଲାଗୁ ହୋଇଛି, କିନ୍ତୁ ସୀମାରେ ଘଟୁଥିବା ଛୋଟ ଛୋଟ ଆକ୍ରମଣ ଏହି ଶାନ୍ତି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିପାରେ ବୋଲି ଆଶଙ୍କା କରାଯାଉଛି।