ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଚାଲିଥିବା ସଂଘର୍ଷରେ ଇରାନ ନିଜର ଯେଉଁ କ୍ଷେପଣାସ୍ତ୍ର ଦକ୍ଷତା ପ୍ରଦର୍ଶନ କରୁଛି, ତାହା ପଛରେ ଉତ୍ତର କୋରିଆର ପ୍ରଯୁକ୍ତିବିଦ୍ୟା ରହିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି। ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ସହାୟତାରେ ତେହେରାନ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି। ପ୍ରଫେସର ବ୍ରୁସ୍ ବେଚଟୋଲଙ୍କ ଅନୁସାରେ, ଉଭୟ ଦେଶ ମଧ୍ୟରେ “ତେଲ ବଦଳରେ ଅସ୍ତ୍ର” ବ୍ୟବସ୍ଥା ବହୁ ପୁରୁଣା। ଉତ୍ତର କୋରିଆ ପ୍ରତିରକ୍ଷା ସହାୟତା ଦେଉଥିବା ବେଳେ ଇରାନ ତା’ ବଦଳରେ ତେଲ ଯୋଗାଉଛି।

ଇରାନର ଶାହବ-୩ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ଭାବେ ଉତ୍ତର କୋରିଆର ନୋ ଡୋଙ୍ଗ ଉପରେ ଆଧାରିତ। ସିଷ୍ଟମ ମଧ୍ୟ ଉତ୍ତର କୋରିଆର ସହଯୋଗରେ ବିକଶିତ ହୋଇଛି। ଡିଏଗୋ ଗାର୍ସିଆ ସାମରିକ ଘାଟି ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ କ୍ଷେପଣାସ୍ତ୍ରକୁ ବିଶେଷଜ୍ଞମାନେ ଉତ୍ତର କୋରିଆର ମୁସୁଦାନ ବୋଲି ଚିହ୍ନଟ କରିଛନ୍ତି। ୧୯୯୦ ଦଶକରୁ ଆରମ୍ଭ ହୋଇଥିବା ଏହି ସହଯୋଗ ଫଳରେ ଇରାନ ଏବେ ଇସ୍ରାଏଲ ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ଘାଟି ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଉତ୍ତର କୋରିଆରୁ କିଣାଯାଇଥିବା ୧୯ଟି ମୁସୁଦାନ କ୍ଷେପଣାସ୍ତ୍ର ଏବଂ ନୋ ଡୋଙ୍ଗର ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ଇରାନ ନିଜର ଆକ୍ରମଣାତ୍ମକ କ୍ଷମତାକୁ ବହୁଗୁଣିତ କରିଛି।