ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତର ଇରାକର ଇରବିଲ ନିକଟରେ ହୋଇଥିବା ଏକ ଭୟଙ୍କର ଡ୍ରୋନ୍ ଆକ୍ରମଣରେ ଫ୍ରାନ୍ସ ସୈନିକ ଅର୍ନାଡ ଫ୍ରିୟନଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଅନ୍ୟ କେତେକ ସୈନିକ ଆହତ ହୋଇଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ ଏହାକୁ ନେଇ ଗଭୀର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇରାକ ସୈନ୍ୟଙ୍କ ସହ ମିଶି ଫ୍ରାନ୍ସ ସେନା ଆତଙ୍କବାଦୀ ବିରୋଧୀ ପ୍ରଶିକ୍ଷଣ ନେଉଥିବା ସମୟରେ ଦୁଇଟି ଡ୍ରୋନ୍ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା।

ଉତ୍ତର ଇରାକର କୁର୍ଦ୍ଦିସ ଅଞ୍ଚଳ ସ୍ଥିତ ଇରବିଲକୁ ଟାର୍ଗେଟ କରି ଏହି ହମ୍ଲା କରାଯାଇଥିଲା। ଏହି ଘଟଣାରେ ପ୍ରାୟ ୬ ଜଣ ସୈନିକ ଆହତ ହୋଇଥିବା ପୂର୍ବରୁ ସୂଚନା ମିଳିଥିଲା। ଶୁକ୍ରବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ରାଷ୍ଟ୍ରପତି ମାକ୍ରଁନ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ସେମାନଙ୍କ ସୈନିକମାନେ ଶାନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ। ତେବେ ଏହି ଆକ୍ରମଣ ପଛରେ କେଉଁ ସଙ୍ଗଠନର ହାତ ରହିଛି, ସେ ନେଇ ମାକ୍ରଁନ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ଘଟଣା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।