ଇଣ୍ଡିଗୋ କମ୍ପାନୀ କୁ ଶକ୍ତ ଝଟକା

ଇଣ୍ଡିଗୋକୁ ସରକାରଙ୍କ ଶକ୍ତ ଚାପୁଡା । ବିଗତ ସପ୍ତାହ ରୁ ଲୋକଙ୍କୁ ହଇରାଣ କରିଆସୁଛି ଇଣ୍ଡିଗୋ। ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଦେଶର ବିମାନ ଚଳାଚଳ ନିୟାମକ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଇଣ୍ଡିଗୋର ଶୀତକାଳୀନ ସମୟସୂଚୀକୁ ହ୍ରାସ କରିଛି । ଯାହା ଫଳରେ ଉଡ଼ାଣ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଛି ।

ଦେଶର ଅଗ୍ରଣୀ ବିମାନ ସେବା ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କରିବା ପରେ ଯାତ୍ରୀମାନଙ୍କୁ ଟିକେଟ ପଇସା ଫେରାଇବା କାର୍ଯ୍ୟ ଜାରି ରହିଛି। ସୋମବାର ଡିସେମ୍ବର ୮ତାରିଖ ସୁଦ୍ଧା ୮୨୭ କୋଟି ଟଙ୍କାର ରିଫଣ୍ଡ କରିଛି ବୋଲି ଇଣ୍ଡିଗୋ ଦାବି କରିଛି। ଅବଶିଷ୍ଟ ରିଫଣ୍ଡ ୧୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜାରି କରାଯିବ ବୋଲି କମ୍ପାନୀ କହିଛି।

କେବଳ ସେତିକି ନୁହେଁ, ବୋର୍ଡିଂ ପାଇଁ ଯାଇଥିବା ଗ୍ରାହକଙ୍କ ବ୍ୟାଗ୍ ଫେରାଇବା କଥା ଇଣ୍ଡିଗୋ କହିଛି। ୪୫୦୦ ରୁ ଅଧିକ ବ୍ୟାଗ ଗ୍ରାହକଙ୍କ ପାଖକୁ ପହଞ୍ଚାଇଥିବା ବେଳେ ,ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାକି ବ୍ୟାଗ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛି ବୋଲି ସୂଚନା ଦେଇଛି । ଯୋଗାଯୋଗ କରି ପ୍ରତିଦିନ ୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସହାୟତା କରାଯାଉଛି ବୋଲି ଇଣ୍ଡିଗୋ କହିଛି । ସାରା ଦେଶରେ ଇଣ୍ଡିଗୋ ସେବା ଲମ୍ବା ସମୟ ଧରି ବ୍ୟାହତ ହେବାପରେ ଯାତ୍ରୀମାନେ ନିଜର ଅସନ୍ତୋଷ ଝଡ଼ିଥିବା ଦେଖିବାକୁ ମିଳିଛି ।

ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨,୨୦୦ ଘରୋଇ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପରିଚାଳନା କରେ, କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଣ୍ଡିଗୋର ୧୧୦ ଟି ଉଡ଼ାଣ ହ୍ରାସ କରାଯାଇଛି । ଇଣ୍ଡିଗୋର ବଡ ପଡିଥିବା ଏହି ସ୍ଲଟ୍ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଦିଆଯିବ ବୋଲି ସରକାର କହିଛନ୍ତି ।ସେ ସମସ୍ତ ବିମାନ କମ୍ପାନୀକୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ ଯାତ୍ରୀମାନଙ୍କୁ ହଇରାଣ କରିବାକୁ କାହାକୁ କ୍ଷମତା ଦିଆଯିବ ନାହିଁ ଏବଂ ସେମାନଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିଶ କରାଯିବ ନାହିଁ।