ଯାଜପୁର: କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତର ଆଲିଆ ଗ୍ରାମରେ ଜାଗର ଉପଲକ୍ଷେ ଶ୍ରୀ ଶ୍ରୀ ଆଲୋକେଶ୍ୱର ମହାଦେବଙ୍କ ତିନିଦିନିଆ ବିଶ୍ୱଶାନ୍ତି ପଞ୍ଚକୁଣ୍ଡିୟ ମହାଯଜ୍ଞ ମଙ୍ଗଳବାର ପୂର୍ଣ୍ଣାହୁତି ମହାସମାରୋହରେ ସମାପ୍ତ ହୋଇଛି।
ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି ଯଜ୍ଞରେ କର୍ତା ଭାବେ ଅଜୟ ବୋଇତେଇ ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳୀ ବୋଇତେଇ ପୂଜାଚର୍ଚ୍ଚା ଆରମ୍ଭ କରିଥିଲେ। ରବିବାର କଳଶଯାତ୍ରା, ଅଙ୍କୁରାରୋପଣ, ଘଟଉତ୍ତୋଳନ ଓ ମହାଦୀପ କାର୍ଯ୍ୟକ୍ରମ ହୋଇଥିଲା। ସୋମବାର ସୂର୍ଯ୍ୟପୂଜା, ଗୁରୁପୂଜା, ଗୀତାଯଜ୍ଞ ଓ ଅଗ୍ନିସଂସ୍ଥାନ ହୋଇଥିବାବେଳେ ମଙ୍ଗଳବାର ଚଣ୍ଡୀଯଜ୍ଞ ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା ବୋଲି ପୂଜକ ରବିନାରାୟଣ ପଣ୍ଡା ସୂଚନା ଦେଇଥିଲେ।
ଗ୍ରାମର ସର୍ବାଙ୍ଗୀନ ଉନ୍ନତି ଓ ସମସ୍ତ ଗ୍ରାମବାସୀଙ୍କ ମଙ୍ଗଳକାମନା ଉଦ୍ଦେଶ୍ୟରେ ପଛଲା ୫ ବର୍ଷ ଧରି ଏହି ଯଜ୍ଞର ଆୟୋଜନ ହୋଇଆସୁଛି ବୋଲି ମୁଖ୍ୟ ଉପଦେଷ୍ଟା ବିଜୟ ବୋଇତେଇ କହିଛନ୍ତି। ଏହି ମହାଯଜ୍ଞରେ ଅଜୟ ବୋଇତେଇ, ସଞ୍ଜୟ ବୋଇତେଇ, ଅର୍ଜୁନ ସାହୁ, ଚନ୍ଦ୍ରମଣୀ ବେହେରା, ଦୀପକ ସାହୁ, ଚୈତନ୍ୟ ବେହେରା, ଅରୁଣ ସାହୁ, ଅମୀୟ ସାହୁ, ରଘୁନାଥ ଭୂୟାଁ, ବିଦ୍ୟାଧର ବୋଇତେଇ, ଦୀପକ ବୋଇତେଇ, ନାରାୟଣ ଭୂୟାଁ, ସୋନୁ ବୋଇତେଇ ସମେତ ସମସ୍ତ ଗ୍ରାମବାସୀ ଉତ୍ସାହର ସହ ଯୋଗଦେଇ ସହଯୋଗ କରିଥିଲେ।
ଧାର୍ମିକ ଉତ୍ସବ ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଏବଂ ବହୁ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।