
ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ପ୍ରତ୍ୟୁଷରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ନନ୍ଦୟାଲାରେ ଗିରଫ କରିଛି । ଦକ୍ଷତା ବିକାଶ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏଥିପାଇଁ ‘କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍’ (ସିଆଇଡି) ବାବୁଙ୍କ ନିକଟକୁ ଗିରଫ ପର୍ୱାନା ପଠାଇଥିଲା। ଗତରାତି ପ୍ରାୟ ୩ଟା ବେଳେ ନନ୍ଦୟାଲା ରେଞ୍ଜ୍ର ‘ଡିଆଇଜି’ ରଘୁରାମି ରେଡ୍ଡୀଙ୍କ ନେତୃତ୍ବରେ ବହୁସଂଖ୍ୟକ ପୁଲିସ ଓ ‘ସିଆଇଡି’ ‘ଆର୍. କେ. ଫଙ୍କ୍ସନ୍ ହଲ୍’ରେ ପଡ଼ିଥିବା ନାଇଡୁଙ୍କ କ୍ୟାମ୍ପ୍ରେ ଚଢ଼ଉ କରିଥିଲେ। ୨୦୨୧ ମସିହା ଡିସେମ୍ବର ୯ ତାରିଖରେ ଆନ୍ଧ୍ର ସିଆଇଡି ଏ ନେଇ ଏକ ମାମଲା ରୁଜୁ କରିଥିଲା । ଏଥିରେ ୨୫ ଜଣ ଅଭିଯୁକ୍ତ ଥିଲେ । ତଦନ୍ତ ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । କୁର୍ନୁଲର ଡିଆଇଜି ରଘୁରାମ ରେଡ୍ଡୀ ଚନ୍ଦ୍ରବାବୁଙ୍କୁ ଆନ୍ଧ୍ର ସିଆଇଡି ଆଇପିସି ଧାରା ୧୨୦ ଖ, ୧୬୬,୧୬୭, ୪୧୮, ୪୨୦, ୪୬୮, ୪୬୫, ୪୭୧, ୪୦୯, ୨୦୧, ୧୦୯ ସହ ଦୁର୍ନୀତିର ଅନ୍ୟଧାରାରେ ତାଙ୍କୁ ଗିରଫ କରିଛି । ‘ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ’ ଦୁର୍ନୀତିରେ ସେ ହେଉଛନ୍ତି ପ୍ରଥମ ଅଭିଯୁକ୍ତ। ଏ ସଂକ୍ରାନ୍ତରେ ଏକ ନୋଟିସ୍ ବି ତାଙ୍କୁ ଦିଆଗଲା। ତା’ପରେ ତାଙ୍କୁ ଗାଡ଼ିରେ ବସାଇ ବିଜୟୱାଡ଼ା ନିଆଯାଇଛି। ଜନସାଧାରଣଙ୍କ ଅର୍ଥ ‘ଲୁଟ୍’ କରିଛନ୍ତି ବୋଲି ଦୋଷାରୋପ କରି ଆନ୍ଧ୍ରପ୍ରଦେଶର ସାମାଜିକ ଜନକଲ୍ୟାଣ ମନ୍ତ୍ରୀ ମେରୁଗା ନାଗାର୍ଜୁନ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରି ଦାବି କରିଥିଲେ। ଏହା ଜାମିନ ନ ମିଳିବା ପରି ଅପରାଧ ହୋଇଥିବାରୁ ତାଙ୍କୁ ଜାମିନରେ ଛଡ଼ାଯାଇ ପାରିବ ନାହିଁ ବୋଲି ନୋଟିସ୍ରେ ଉଲ୍ଲେଖ ଅଛି। ଜାମିନ ପାଇଁ ଆମେ ହାଇକୋର୍ଟରେ ଆବେଦନ କରିବୁ ବୋଲି ତାଙ୍କ ଓକିଲ କହିଛନ୍ତି।