
ସାରା ଦେଶ ସହିତ ଓଡ଼ିଶାରେ ମଧ୍ୟ ଖ୍ରୀଷ୍ଟିଆନ୍ ଧର୍ମାବଳମ୍ବୀମାନେ ଆଜି ଆନନ୍ଦ ଓ ଉତ୍ସାହର ସହିତ ପବିତ୍ର ଖ୍ରୀଷ୍ଟମାସ୍ ପର୍ବ ପାଳନ କରିଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମତିଥି ଅବସରରେ ଚର୍ଚ୍ଚଗୁଡ଼ିକ ଆଲୋକମାଳା, ଫୁଲ ଓ ରଙ୍ଗିନ ସଜବାଜରେ ଆଲୋକିତ ହୋଇଉଠିଥିଲା।
ମଧ୍ୟରାତ୍ରିରେ ଚର୍ଚ୍ଚମାନେ ବିଶେଷ ପ୍ରାର୍ଥନା ସଭା ଓ ‘ମିଡନାଇଟ୍ ମାସ୍’ ଆୟୋଜନ କରିଥିଲେ। ଭକ୍ତମାନେ ମହମବତି ଜଳାଇ ଯୀଶୁଙ୍କ ଶିକ୍ଷା,ପ୍ରେମ, କ୍ଷମା ଓ ମାନବତାକୁ ସ୍ମରଣ କରିଥିଲେ।
ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ସହ ଅନ୍ୟାନ୍ୟ ସହରଗୁଡ଼ିକରେ ସାଣ୍ଟା କ୍ଲଜ୍ ରୂପରେ ସଜିଥିବା ଯୁବକମାନେ ଶିଶୁମାନଙ୍କୁ ଉପହାର ବଣ୍ଟନ କରିଥିଲେ। କେକ୍ କାଟିବା, କ୍ୟାରଲ୍ ଗୀତ ଗାଇବା ଓ ପରିବାର-ମିତ୍ରମାନଙ୍କ ସହ ଖୁସି ବାଣ୍ଟିବାରେ ମନ୍ତ୍ରମୁଗ୍ଧ ହୋଇଥିଲା ସମସ୍ତଙ୍କ ମନ।
ଶାନ୍ତି ଓ ସୁରକ୍ଷା ରଖିବାକୁ ପ୍ରଶାସନ ପକ୍ଷରୁ ଚର୍ଚ୍ଚ ଓ ଭିଡ଼ ଥିବା ସ୍ଥାନଗୁଡ଼ିକରେ ପୁଲିସ୍ ବ୍ୟବସ୍ଥା କଡାକଡି କରାଯାଇଥିଲା। ଖ୍ରୀଷ୍ଟମାସ୍ ପର୍ବ ମାଧ୍ୟମରେ ଧର୍ମ, ଜାତି ଓ ଭାଷାର ସୀମା ଉପରେ ଉଠି ସମସ୍ତଙ୍କୁ ଏକତାର ସନ୍ଦେଶ ମିଳିଛି।