
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯିବେ । ୨୬ ତାରିଖରେ ରାଷ୍ଟ୍ରପତି ଦିନ ତମାମ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ରହିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ କାର୍କେଡ୍ ରିହର୍ସଲ କରିଛି କଟକ କମିଶନରେଟ ପୋଲିସ ।
ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।
୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।
ଅନ୍ୟପକ୍ଷରେ ଗସ୍ତ କାର୍ଯ୍ୟକ୍ରମର ତୃତୀୟ ତଥା ଶେଷ ଦିନରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନରେ ରାଜ୍ୟର ବିରଳତମ ଜନଜାତି ସମ୍ପ୍ରଦାୟ(ପିଭିଟିଜି)ର ସଦସ୍ୟମାନଙ୍କ ସହ କିଛି ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ । ସେହିଦିନ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର “ସକରାତ୍ମକ ପରିବର୍ତ୍ତନ ବର୍ଷ’ ବିଷୟବସ୍ତୁ ଶୀର୍ଷକ ସେମିନାର ଓ ଆଲୋଚନାଚକ୍ରକୁ ଦେଶବ୍ୟାପୀ ଆୟୋଜନ କରିବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥ ତମାଣ୍ଡୋ ଠାରେ ଏହାର “ଲାଇଟ୍ହାଉସ୍ କମ୍ପେ୍ଲକ୍ସ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି । ତିନିଦିନିଆ ଓଡିଶା ଗସ୍ତ ପୂବର୍ରୁ ସୋମବାର ସକାଳେ କାରେକଡ୍ ରିହରସେଲ୍ କରାଯାଇଛି ।