
ଆଜିଠୁ ଆରମ୍ଭ ହେଉଛି ଓଡ଼ିଶାର ମାଟ୍ରିକ ପରୀକ୍ଷା। BOARD OF SECONDARY EDUCATION ODISHA ଅଧୀନରେ ଆୟୋଜିତ ହେଉଥିବା ଏହି ପରୀକ୍ଷା ଛାତ୍ରଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ପରିଗଣିତ। ପରୀକ୍ଷାକୁ ସ୍ୱଚ୍ଛ, ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ ଭାବେ ସମାପ୍ତ କରିବା ବୋର୍ଡ କର୍ତ୍ତୃପକ୍ଷ ଓ School and Mass Education Department Odisha ପାଇଁ ଏକ ବଡ ଆହ୍ୱାନ। ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୦୮୨ କେନ୍ଦ୍ରରେ ହେବ ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଛି ।
ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । କଣ୍ଟ୍ରୋଲ୍ ରୁମ୍ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯିବ । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ ଏଆଇ କ୍ୟାମେରା ନଜରରେ ରଖାଯାଇଛି। ସବୁ କେନ୍ଦ୍ରକୁ ଜଗିଛି ପୋଲିସ। ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି।