ଆଗକୁ ଭୟଙ୍କର ଗରମ! ୧୩ ତାରିଖରୁ ୪୦° ଉପରେ ତାପମାତ୍ରା

ରାଜ୍ୟରେ ଆଗାମୀ ଦିନଗୁଡିକରେ ଗରମର ପ୍ରକୋପ ଆହୁରି ବଢିବାକୁ ଯାଉଛି। ମାର୍ଚ୍ଚ ଆରମ୍ଭରୁ ତାପମାତ୍ରା ୩୬ ଡିଗ୍ରି ଛୁଇଁଥିବା ବେଳେ ୧୩ ତାରିଖରୁ ପାରଦ ୪୦ ଡିଗ୍ରି ଡେଇଁବାର ସମ୍ଭାବନା ରହିଛି। ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମାର୍ଚ୍ଚ ଆରମ୍ଭରୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିବା ସହ ଟାଣ ଖରା ଅନୁଭୂତ ହେଉଛି। ସକାଳ ୧୦ଟା ପରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ମାର୍ଚ୍ଚ ୧୩ରୁ ତାପମାତ୍ରା ଦ୍ରୁତ ଭାବେ ବଢିବ ଏବଂ କିଛି ସ୍ଥାନରେ ପାରଦ ୪୩ ଡିଗ୍ରି ପର୍ଯ୍ୟନ୍ତ ଛୁଇଁପାରେ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି।

ଉତ୍ତର–ପୂର୍ବ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେବାରୁ ଗରମର ପ୍ରକୋପ ଆହୁରି ବଢିବ। ଏହା ସହ ବାୟୁମଣ୍ଡଳରେ ଆର୍ଦ୍ରତା ୬୦ରୁ ୭୦ ପ୍ରତିଶତ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ କହିବା ଅନୁସାରେ, ମାର୍ଚ୍ଚ ୧୬ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବା ସହ କାଳବୈଶାଖୀ ବର୍ଷା କିଛିଟା ଆଶ୍ୱସ୍ତି ଆଣିପାରେ। ଏହାସହ ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ଏଥି ସହ ଜଡିତ ଟ୍ରଫ୍ ଲାଇନ ଓଡ଼ିଶା ମାଧ୍ୟମରେ ଅତିକ୍ରମ କରୁଛି। ଏହାର ପ୍ରଭାବରେ ମାର୍ଚ୍ଚ ୧୦ ଓ ୧୧ ତାରିଖରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଗରମ ଅଧିକ ଦିନ ରହିପାରେ। ଫଳରେ ତାତି ଓ ଗୁଳୁଗୁଳିରେ ଲୋକେ ଅସହ୍ୟ ଅବସ୍ଥାରେ ପଡ଼ିପାରନ୍ତି।