ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିଶ୍ବର ଏକ ନମ୍ବର ଟ୍ବେଣ୍ଟି-୨୦ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କ ଦଳରେ ଖେଳିବା ନେଇ ଆଶଙ୍କା ଉଠୁଛି | ପ୍ରଥମ ମ୍ୟାଚ୍ରେ ପ୍ରଥମ ବଲ୍ରେ ଆଉଟ୍ ହୋଇଯାଇଥିଲେ | ଏବେ କିନ୍ତୁ ଅଭିଷେକଙ୍କ ଅସୁସ୍ଥତା ଭାରତୀୟ ଦଳରେ ଚିନ୍ତା କାରଣ ପଲିଟି ଯାଇଛି |

ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ , ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି | ତାଙ୍କ ଅସୁସ୍ଥତା ସମ୍ପର୍କରେ ଅଧିକ ତଥ୍ୟ ମିଳିନଥିଲେ ମଧ୍ୟ ସେ ଅନ୍ୟ କୌଣସି ଶାରୀରିକ ସମସ୍ୟାରେ ପୀଡ଼ିତ ଥିବାର ଅନୁମାନ କରାଯାଉଛି | ଏହା ପୂର୍ବରୁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ଗୁରୁତର ଭାବରେ ପୀଡ଼ିତ ହେବାରୁ ଶନିବାର ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍ରୁ ବିଶ୍ରାମ ନେଇଥିଲେ | ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଥିଲା |

ଅନ୍ୟପକ୍ଷରେ, ଭାରତୀୟ ଦଳ ପାଇଁ ଏକ ଭଲ ଖବର ମଧ୍ୟ ଆସିଛି। ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଅଲ୍ରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଦଳ ସହ ଯୋଗ ଦେବେ ବୋଲି ଅଧିନାୟକ ସୂର୍ଯ୍ୟକୁମାର ସୂଚନା ଦେଇଛନ୍ତି। ସୁନ୍ଦର ସିଧାସଳଖ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗଦେବେ।ଗତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳା ସମୟରେ ୱାସିଂଟନ୍ ସୁନ୍ଦରଙ୍କ ମାଂସପେଶୀ ଟାଣି ହୋଇଯାଇଥିବାରୁ ସେ ବେଙ୍ଗାଲୁରୁସ୍ଥିତ ଉତ୍କର୍ଷ କେନ୍ଦ୍ରରେ ପୁନଃଥଇଥାନ ଯୋଜନାରେ ସାମିଲ ହୋଇଥିଲେ। ସେଠାରେ ତାଙ୍କୁ ସେ ଫିଟ୍ ଅଛନ୍ତି ବୋଲି କୁହାଯାଇଛି |
ମୋଟାମୋଟି ଭାବେ ବିଶ୍ବକପ୍ ଆରମ୍ଭ ହେବା ସହ ଭାରତୀୟ ଦଳର କିଛି ଖେଳାଳିଙ୍କ ଅସୁସ୍ଥତା ଓ ଆହତ ସମସ୍ୟା ଦଳ ପ୍ରଶାସନର ଚିନ୍ତା ବଢ଼ାଇଛି। ଆଗାମୀ ମ୍ୟାଚ୍ଗୁଡ଼ିକ ପୂର୍ବରୁ ସମସ୍ତ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ହେବେ ବୋଲି ଆଶା କରାଯାଉଛି।