
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ନିକଟ ଏକ ପଥର ଖଣିରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଗତକାଲିଠାରୁ ଏହି ବିସ୍ଫୋରଣକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ବିସ୍ଫୋରଣରେ କିଛି ମୃତାହତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ଏପର୍ଯ୍ୟନ୍ତ ମୃତ୍ୟୁ ବା ଆହତଙ୍କ ସଠିକ୍ ସଂଖ୍ୟା ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ।
ଖବର ପାଇ ଘଟଣାସ୍ଥଳକୁ ଓଡ଼ପଡା ତହସିଲଦାର ଓ ମୋଟଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଥିବା ସହ କାହାକୁ ମଧ୍ୟ ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ।
ତଦନ୍ତ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ଘଟିଥିବା ପଥର ଖଣିରେ ବ୍ଲାଷ୍ଟିଂ ପାଇଁ ଅନୁମତି ନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବ୍ଲାଷ୍ଟିଂ ଅନୁମତି ନଥିବାରୁ ଗତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ଢେଙ୍କାନାଳ ଜିଲ୍ଲା ମାଇନିଂ ଅଫିସ ପକ୍ଷରୁ ସଂପୃକ୍ତ ଲିଜଧାରୀଙ୍କୁ ଖଣି ବନ୍ଦ କରିବାକୁ ଚିଠି ଦିଆଯାଇଥିଲା।
ତଥାପି ନିୟମକୁ ଅଣଦେଖା କରି ଉକ୍ତ ଖଣିରେ ବ୍ଲାଷ୍ଟିଂ ଚାଲିଥିବା ଅଭିଯୋଗ ଆସିଛି, ଯାହା ଏହି ବିସ୍ଫୋରଣର ପ୍ରଧାନ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ଜିଲ୍ଲା ଖଣି ଅଧିକାରୀ କିମ୍ବା ସଂପୃକ୍ତ ଲିଜଧାରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
ବିସ୍ଫୋରଣ ପଛରେ କେତେ ଦୂର ପର୍ଯ୍ୟନ୍ତ ଅବୈଧ କାର୍ଯ୍ୟକଳାପ ଦାୟୀ ଓ କେହି ଅବହେଳା କରିଛନ୍ତି କି ନାହିଁ, ସେନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଗଭୀର ତଦନ୍ତ ଚାଲିଥିବା ଜଣାପଡ଼ିଛି।