ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

ଅନୁଗୁଳ ଜିଲ୍ଲାରେ ଆଇନ-ଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି ଏକ ଚାଞ୍ଚଳ୍ୟକର ଘଟଣା। ଗତ ୧୮ ତାରିଖ ରାତିରେ ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଇନ୍ସପେକ୍ଟର ଖଲେଶ୍ୱର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୧୧ଟା ସମୟରେ ଡ୍ୟୁଟି ସାରି ଥାନାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ହଠାତ୍‌ ଏକ ବସ୍‌ ତାଙ୍କ ଦିଗକୁ ଦ୍ରୁତ ଗତିରେ ଆସିଥିଲା। ଡ୍ରାଇଭର୍‌ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଇନ୍ସପେକ୍ଟର ସେଠୀ ସଚେତନ ହୋଇ ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ଜୀବନରକ୍ଷା ପାଇଥିଲେ।

ଘଟଣା ପରେ ବସ୍‌ରୁ ଡ୍ରାଇଭର୍‌ ସହ ଅନ୍ୟ ଦୁଇ ଜଣ ସହଯୋଗୀ ଓହ୍ଲାଇ ତାଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ପରେ ଇନ୍ସପେକ୍ଟର ସେଠୀ ତୁରନ୍ତ ଅନୁଗୁଳ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ଏହି ଘଟଣାକୁ ନେଇ ପୁଲିସ ଥାନାରେ ଏତଲା ଦାଖଲ ହେବା ପରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ପରିଚୟ ଓ ଘଟଣାର ପୃଷ୍ଠଭୂମି ଖୋଜିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି।